ଆଇଆରଇ ପ୍ଲାଣ୍ଟ ପରିସରରେ ଅଘଟଣ : ଆଇଆରଇ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଇଆରଇ ପ୍ଲାଣ୍ଟ ପରିସରରେ ଏକ ଅଘଟଣ ଘଟିଛି । ଯାହା ଫଳରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ମୃତ ଶ୍ରମିକ ଜଣକ ହେଲେ ଛତ୍ରପୁର ନିକଟବର୍ତ୍ତୀ ମାଟିଖାଲ ଗ୍ରାମର ରମା ପ୍ରଧାନ (୩୪) । ରମା ଛତିଶଗଡର ବିଳାସପୁର ଅଂଚଳର ମେଟାଲ ଇଞ୍ଜିନିୟର କମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଉକ୍ତ କମ୍ପାନୀ ପ୍ଲାଣ୍ଟ ପରିସରରେ ରୋଡ୍ ଓ ପାଚେରୀ କାର୍ଯ୍ୟ କରିବା ନିମନ୍ତେ ନିୟୋଜିତ ହୋଇଥିଲେ । ରମା ରବିବାର ଲୁହା ବୋହି ଆଣୁଥିବା ସମୟରେ ହଠାତ୍ ଲୁହା ଖସି ପଡିବା ଯୋଗୁଁ ଏଭଳି ଦୁର୍ଷଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ଏହା ସହ ଦୁର୍ଘଟଣା ଘଟିବା ପରେ ରମାଙ୍କୁ ଆଇଆରଆଇ ମେଡିକାଲରେ ଚିକିତ୍ସା ନ କରି ଛତ୍ରପୁର ଆଣିବା ଫଳରେ ଚିକିତ୍ସାର ବିଳମ୍ବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପ ଉତ୍ତେଜନା ଦେଖାଦେଇଛି । ମୃତ ମହିଳା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବୀ କରିବା ସହ ଆଇଆରଇ କମ୍ପାନୀର ମନମୁଖି କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଲୋକେ ଆଇଆରଇ ମୁଖୟ ଫାଟକକୁ ବନ୍ଦ କରିବା ସହ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନରେ କଂଗ୍ରେସ ନତୋ ଭାଗିରଥି ବେହେରା, ଆଇନଜିବୀ ପି. ଧର୍ମା ରେଡ୍ଡୀ, ବିଜେଡି ନେତା ଏନ୍. ୱାର୍ଦ୍ଦ ରାଜୁଲୁ ରେଡ୍ଡୀ ଓ ବାଦଲ କୁମାର ବେହେରା, କଣମଣା ନାଏବ ସରପଂଚ ପ୍ରଶାନ୍ତ ବେହେରା, ଚମାଖଣ୍ଡି ପଂଚାୟତର ପୂର୍ବତନ ସମିତିସଭ୍ୟ ଭାଗିରଥି ପ୍ରଧାନ, ମାଟିଖାଲ ଗ୍ରାମର ବାବୁଲି ପ୍ରଧାନ, ପଂଚାନନ ପ୍ରଧାନ, ସୁରେଶ ପ୍ରଧାନଙ୍କ ସହ ବହୁ ମହିଳା ଓ ପୁରୁଷ ମାନେ ସାମିଲ ଥିଲେ । ସୂଚନା ଯୋଗ୍ୟ ଯେ, ମୃତ ମହିଳା ଶ୍ରମିକ ରମା ପ୍ରଧାନଙ୍କ ସ୍ୱାମୀଙ୍କ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ବେଳେ ସେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥିଲେ । ତାଙ୍କର ଦୁଇଟି ଛୋଟ ଶିଶୁ ପୁତ୍ର ରହିଥିବା ଜଣାପଡିଛି । ଆନ୍ଦୋଳନ ସ୍ଥଳରେ ଚମାଖଣ୍ଡି ଥାନା ଅଧିକାରୀ ସିିତାଂଶୁ ଶେଖର ମାନ୍ଧାତାଙ୍କ ସମେତ ବହୁ ଥାନା କର୍ମଚାରୀ ମାନେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ ।