ଆଇଏଏସ୍ ସମ୍ମିଳନୀ ୧୭ରେ
ଭୁବନେଶ୍ୱର: ଚଳିତ ମାସ ୧୭ରେ ପ୍ରଥମ ଥର ପାଇଁ ଆଇଏଏସମାନଙ୍କୁ ନେଇ ଏକ ସମ୍ମିଳନୀ ଲୋକସେବା ଭବନରେ ଅନୁଷ୍ଠିତ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟବାସୀଙ୍କୁ କିଭଳି ଆଗାମୀ ୫ ବର୍ଷ ପାଇଁ ମୌଳିକ ସୁବିଧା ସୁଯୋଗ ମିଳିବ ତାହା ଉପରେ ବିସ୍ତୃତ ଆଲୋଚନା ହେବା ସହିତ ଏକ ଖସଡ଼ା ପ୍ରସ୍ତୁତ ହେବ ବୋଲି ଜନୈକ ବରିଷ୍ଠ ପ୍ରଶାସକ କହିଛନ୍ତି । ସୂଚନା ଅନୁଯାୟୀ ୧୭ରେ ହେବାକୁ ଥିବା ଆଇଏଏସ ସମ୍ମିଳନୀରେ ସବୁ ବିଭାଗର ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳମାନେ ଯୋଗ ଦେବେ । ଏହି ସମ୍ମିଳନୀରେ ରାଜ୍ୟରେ କିଭଳି ଶିକ୍ଷା ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯିବ । ରାଜ୍ୟ ସରକାରଙ୍କ ୫ଟି ତତ୍ତ୍ୱ ଆଧାରରେ ସରକାରଙ୍କ ପ୍ରତ୍ୟେକ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ କେତେକ ନିର୍ଦ୍ଦିଷ୍ଟ ଦିଗକୁ ଧ୍ୟାନ ଦିଆଯିବ । ଏହା ସହିତ ପ୍ରଶାସନିକ ସେବା କିଭଳି ସୁଚାରୁ ରୂପେ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ଏବଂ ଲୋକେ ବିଭିନ୍ନ ଯୋଜନାର ସୁଫଳ ପାଇବେ ସେନେଇ ଖସଡ଼ା ପ୍ରସ୍ତୁତ ହେବ ବୋଲି ଜଣାଯାଇଛି । ଆଇପିଏସଙ୍କ ପରେ ଆଇଏଏସଙ୍କ ପ୍ରଥମ ସମ୍ମିଳନୀକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା ଜୋର ଧରିଛି ।