ଆଇଓସିଏଲର ପିଏକ୍ସ-ପିଟିଏ ପ୍ରକଳ୍ପ ନିମନ୍ତେ ଜନ ଶୁଣାଣି

ପାରାଦୀପ, (ପୀତବାସ ପ୍ରଧାନ):ଆଇଓସିଏଲ ପ୍ଲାଂଟ୍ ପରିସରରେ ହେବାକୁ ଥିବା ପାରା ଜାଇଲେନ ଏବଂ ପ୍ୟୁରିଫାଇଡ୍ ଟେରେଫଥାଲିକ୍ ଏସିଡ୍ (ପିଏକ୍ସ-ପିଟିଏ) ପ୍ରକଳ୍ପ ନିମନ୍ତେ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ପୌରପାଳିକା କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର ସଭାପତିତ୍ୱ କରି ଯୋଗ ଦେଇଥିବା ସ୍ଥାନୀୟ ଲୋକମାନଙ୍କୁ ନିଜର ମତାମତ ରଖିବା ପାଇଁ ନିବେଦନ କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଦିଲ୍ଲୀପ ଦାଶ ଉପସ୍ଥିତ ରହି ମତାମତ ରଖୁଥିବା ଲୋକମାନଙ୍କ ଅଭିଯୋଗ ଆପତ୍ତିକୁ ଭଲ ଭାବେ ଶୁଣି ଥିଲେ । ଏହି ଜନ ଶୁଣାଣିରେ ମୋଟ୍ ୧୮ ଜଣ ନିଜର ମତାମତ ରଖିଥିବା ବେଳେ ୧୬ ଜଣ ଏହାକୁ ସମର୍ଥନ କରିଥିଲେ । ସମସ୍ତେ ପ୍ରକଳ୍ପକୁ ସମର୍ଥନ କରିଥିଲେ ମଧ୍ୟ ଅଂଚଳର ବିକାଶ ଦିଗରେ ଆଇଓସିଏଲ କର୍ତ୍ତୃପକ୍ଷ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଥିଲେ । ଆଇଓସିଏଲ ତୈଳ ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ଦ୍ୱାରା ପ୍ରସ୍ତାବିତ ବର୍ଷ ୧.୨ ମିଲିଅନ ମେଟ୍ରିକ୍ ଟନ୍ ଏସିଡ୍ ଉତ୍ପାଦନ କରାଯିବ । ଏହି ଉତ୍ପାଦକୁ ବୟନ ଶିଳ୍ପର କଂଚାମାଲରେ ବ୍ୟବହାର କରାଯାଇପାରିବ । ଏଥିପାଇଁ ୭୫ ଏକର ଜମି ଆବଶ୍ୟକ ପଡ଼ିବ । ଏଥିନିମନ୍ତେ ଆଇଓସିଏଲକୁ କୌଣସି ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ । ସେହି ଜାଗା ମଧ୍ୟରେ ଏହି ପ୍ରକଳ୍ପକୁ ନିର୍ମାଣ କରାଯିବ । ଏହାସହ ଅଧିକ ପାଣିର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ ବୋଲି ଆଇଓସିଏଲ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ଆସନ୍ତା ୨୦୨୪ ସୁଦ୍ଧା ଶେଷ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ମହାପ୍ରବନ୍ଧକ (ମାନବ ସମ୍ବଳ) ଏକେ ଭାଗୱତି, ମୁକେଶ ମୋହନ ମୁଖ୍ୟ ମହାପ୍ରବନ୍ଧକ (ଟିଏସ୍‌), ବିଆର ମଲ୍ଲିକ ମୁଖ୍ୟ ମହାପ୍ରବନ୍ଧକ (ଏଚ୍‌ଏସ୍‌ଇ) ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ