ଆଇଓସିଏଲ ଓ ଉପକୂଳବାସୀଙ୍କ ସୁରକ୍ଷା ପାଇଁ ଜାତୀୟ ଗ୍ରୀନ ଟ୍ରିବୁନାଲର ଦ୍ୱାରସ୍ଥ ହେବ ଜନ ଅଧିକାର ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପାରାଦ୍ୱୀପ ତୈଳ ବିଶୋଧନଗାର ଆଇଓସିଏଲ ଏବଂ ଏହାର ଉପକୂଳ ଅଞ୍ଚଳ ଏବେ ମହାବିପଦ ଆଡ଼କୁ ଅଗ୍ରସର ହେଉଛି । ଆଇଓସିଏଲ ପାଚେରୀ ସଂଲଗ୍ନ ୧୩ ଏକର କୃତ୍ରିମ ଜଙ୍ଗଲ ଉପରେ ଜମି ମାଫିଆ ଏବଂ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଯଦି ଆଗାମୀ ଦିନରେ ପାଚେରୀ ସଂଲଗ୍ନ ଜମି ଉପରେ ଥିବା ୧୫ହଜାରୁ ଉର୍ଦ୍ଧ୍ୱ ମୂଲ୍ୟବାନ ପଟାସ ଓ ଝାଉଁ ଗଛଗୁଡ଼ିକୁ କାଟି ଦିଆଯାଏ, ତେବେ ସାମୁଦ୍ରିକ ବାତ୍ୟା ଏବଂ ଜୁଆର ପ୍ରଭାବରେ ଆଇଓସିଏଲ ଏବଂ ଉପକୂଳବାସୀଙ୍କର ବ୍ୟାପକ କ୍ଷତି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ରାଜ୍ୟ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଗଛକଟା ଉପରେ ରୋକ ଲଗାଇବା ସଙ୍ଗେ ସଙ୍ଗେ ଆଇଓସିଏଲ ଏବଂ ଉପକୂଳାବାସୀଙ୍କୁ ବାତ୍ୟା ପ୍ରକୋପରୁ ସୁରକ୍ଷା ଦେବା ପାଇଁ ସାଧାରଣରେ ଦାବି ହେଉଛି ।
ଦିଲ୍ଲୀର ଏକ ଘରୋଇ କମ୍ପାନୀ ଉମକ ଇନଭେଷ୍ଟମେଣ୍ଟ କମ୍ପାନୀ ଲିମିଟେଡ଼ ରାଜ୍ୟ ସରକାରଙ୍କ ସହିତ ୨୦୦୬ ମସିହାରେ ଚୁକ୍ତିନାମା କରିଥିଲା । ତଦନୁଯାୟୀ ଆଇଓସିଏଲ ସଂଲଗ୍ନ ଅଭୟଚାନ୍ଦପୁର ମୌଜାରେ ପ୍ରାୟ ୧୩ ଏକର ଜମି କ୍ରୟ କରିଥିଲା । ସରକାରଙ୍କ ସହିତ ଚୁକ୍ତିକୁ ଆଧାର କରି କମ୍ପାନୀ ଅଧିକାରୀମାନେ ସ୍ଥାନୀୟ ଅଧିବାସୀମାନଙ୍କୁ ତାରକା ହୋଟେଲ ସ୍ଥାପନ ହେଲେ ଅଞ୍ଚଳର କି ଉନ୍ନତି ହେବ, ସେ ବିଷୟରେ ଏକ ରଙ୍ଗୀନ ଚିତ୍ର ଦେଖାଇଥିଲେ । ସ୍ଥାନୀୟ ଅଞ୍ଚଳ ଉନ୍ନୟନ ଏବଂ ଭବିଷ୍ୟତରେ ପରବର୍ତ୍ତୀ ପିଢି ପାଇଁ ରୋଜଗାର ସୃଷ୍ଟି ହେବା ଆଶାରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଜମି ମାଲିକ ସେମାନଙ୍କର ଉର୍ବର ଫସଲୀ ଜମିକୁ ଶାଗମାଛ ଦରରେ କମ୍ପାନୀକୁ ବିକ୍ରୟ କରିଥିଲେ । ୨୦୦୬ ମସିହା ପରେ ତାରକା ହୋଟେଲ ନିର୍ମାଣରେ ପାଦଟିଏ ଆଗେଇ ନଥିଲେ କମ୍ପାନୀ କର୍ତ୍ତୃପକ୍ଷ । ଇତି ମଧ୍ୟରେ ଏହି ଘରୋଇ ଜମି ଉପରେ ଆଇଓସିଏଲର ମହିଳା ସ୍ୱେଚ୍ଛାସେବୀମାନେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ପଟାସ ଏବଂ ଝାଉଁ ଗଛ ଲଗାଇ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରିଛନ୍ତି । ଯଦି ଏହି ଜଙ୍ଗଲକୁ କାଟି ଦିଆଯାଏ, ତେବେ ସାମୁଦ୍ରିକ ବାତ୍ୟାର ପ୍ରକୋପରେ ଏହି ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିବ । ହୋଟେଲ ନିର୍ମାତା କମ୍ପାନୀ ଅନପୌଚାରିକ ଭାବେ ସରକାରୀ ରାଜିନାମାରୁ ଓହରି ଯାଇଛି ବୋଲି ଜଣାପଡ଼ିଛି । ସରକାରୀ ଚୁକ୍ତି ବଳରେ ସାଧାରଣଙ୍କ ଠାରୁ ଜମି କ୍ରୟ କରି କାହଁକି ହୋଟେଲ ନିର୍ମାଣ କରିନାହାଁନ୍ତି, ସେ ବିଷୟରେ ହୋଟେଲ କର୍ତ୍ତୃପକ୍ଷ ଚୁପ୍ ରହିଛନ୍ତି । ଏବେ ଅତ୍ୟନ୍ତ ଗୋପନୀୟ ଭାବେ କୃତ୍ରିମ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛଗୁଡ଼ିକୁ କାଟି ଜମିଗୁଡ଼ିକୁ ପୁନଃ ବିକ୍ରୟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଶୁଣିବାକୁ ପାଉଛନ୍ତି । ଏହି ଅଞ୍ଚଳଟି ଏବେ ସିଆରଜେଡ୍ ପରିସର ମଧ୍ୟରେ ଆସୁଥିବାରୁ ଏଠାରେ ଆଉ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି । ଆଇଓସିଏଲ ଏବଂ ଉପକୂଳବାସୀଙ୍କୁ ବାତ୍ୟା ଏବଂ ସାମୁଦ୍ରିକ ଜୁଆରରୁ ସୁରକ୍ଷା ପାଇଁ ଜନ ଅଧିକାର ପାର୍ଟି ଗଛ ନ କାଟିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛି । ଯଦି ଜିଲ୍ଲା ପ୍ରଶାସନ ନୀରବ ରହୁନ୍ତି, ତେବେ ଆଗାମୀ ଦିନରେ ପାର୍ଟି ଜାତୀୟ ଗ୍ରୀନ ଟ୍ରିବୁନାଲରେ ଏହି ପ୍ରସଙ୍ଗ ଉଠାଇବ ବୋଲି ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ