ଆଇଚର ଧକ୍କାରେ ଯୁବକଙ୍କ ମୃତ୍ୟୁ

ବୋଲଗଡ଼ (ଯୁଗାବ୍ଦ ନ୍ୟୁଜ୍) : ବୋଲଗଡ଼ ଥାନା ଅନ୍ତର୍ଗତ ସଦର ମହକୁମା ପଞ୍ଚାୟତ ବନ୍ଧସାହିର ଜନୈକ ଯୁବକ ସୋମବାର ଅପରାହ୍ନରେ ସ୍ଥାନୀୟ ୫୭ ନଂ ଜାତୀୟ ରାଜପଥସ୍ଥିତ ଲେବୁଲ କ୍ରସିଂଠାରେ ଆଇଚର ଧକ୍କାରେ ମୃତ୍ୟୁବରଣ କରିଛନ୍ତି । ପ୍ରକାଶ ଯେ, ବନ୍ଧସାହିର ଧନେଶ୍ୱର ଜେନାଙ୍କ ବଡପୁଅ ରାଜକିଶୋର ଜେନା ଓରଫ ଶ୍ରୀଧର(୨୩) ଘରକୁ ଫେରୁଥିବାବେଳେ ନୟାଗଡ଼ ପଟୁ ଏକ ଆଇଚର (ଓଡି ୧୪ ଆର ୬୭୫୦) ମାଲବୋଝେଇ ଗାଡି ସମ୍ମୁଖ ଭାଗରୁ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ରାଜଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଡାହାଣ ହାତଟି ଭାଙ୍ଗିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଗାଡିଟି ରାଉଲକେଲାର ବିରାଜ ଏଣ୍ଟରପ୍ରାଇଜରର୍ସ କମ୍ପାନୀର ବୋଲି ଜଣାପଡିଛି । ଖବରପାଇ ବୋଲଗଡ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଅଟକ ରଖିଛି । ଖବର ଲେଖାହେବା ପର‌୍ୟ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରାଯାଇନାହିଁ । ମୃତ ଶ୍ରୀଧର ୨ବର୍ଷ ତଳେ ଶିବାନିକୁ ବିବାହ କରିଥିଲେ । ତାଙ୍କର ୧ବର୍ଷର ଏକ ପୁତ୍ର ସନ୍ତାନ ଅଛି । ସେ ଜଣେ ଗରିବ ଓ ଦିନମଜୁରିଆ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ