ଆଇଟିଆଇ ଛାତ୍ର ନିଖୋଜ
ହିିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ହଷ୍ଟେଲରୁ ଜୈନିକ ଛାତ୍ର ସେପ୍ଟେମ୍ବର ମାସରୁ ନିଖୋଜ ଥିଲେ । ନିଖୋଜ ଛାତ୍ର ଜଣକ ଆସିକା ଥାନା ପଢାଳ ଜୟପୁର ଗ୍ରାମର ତଥା ପୋଚିଲିମା ଆଇଟିଆଇ ଦ୍ୱିତୀୟ ବର୍ଷ ଛାତ୍ର ବାସୁଦେବ ନାହାକ । ଛାତ୍ର ଜଣକ ସେପ୍ଟେମ୍ବର ୬ ତାରିଖରେ ଅନ୍ୟ ଏକ ଛାତ୍ରଙ୍କ ସହ ମିଶି ନିଜ ଗ୍ରାମକୁ ଯାଇଥିଲେ । ସହପାଠୀ ଜଣକ ଆଇଟିଆଇକୁ ଫେରି ଆସିଥିବା ବେଳେ ବାସୁଦେବ ଫେରିନଥିଲେ । ବାସୁଦେବଙ୍କ ବାପା, ମା ନଥିବାରୁ ସେ ନିଜ ଦାଦା ବିଜୟ କୁମାର ନାହାକଙ୍କ ତତ୍ୱାବଧାନରେ ରହି ପାଠ ପଢି ଆସୁଥିଲେ । ବିଜୟ ପୁତୁରାଙ୍କ ସହ ସାକ୍ଷାତ କରିବା ପାଇଁ ସେପ୍ଟେମ୍ବର ୮ ତାରିଖରେ ପୋଚିଲିମା ଆଇଟିଆଇକୁ ଆସିଥିବା ବେଳେ ପୁତୁରା କେଉଁଆଡ଼େ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଆଇଟିଆଇ ଅଧ୍ୟକ୍ଷଙ୍କଠାରୁ ନିଖୋଜ ନେଇ କୌଣସି ସନ୍ତୋଷ ଜନକ ଉତର ମିଳିନଥିଲା । ବାସୁଦେବଙ୍କୁ ଦାଦା ଓ ସମ୍ପର୍କୀୟ ମାନେ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିଉତର ମଳିନଥିଲା । ପରେ ଦାଦା ବିଜୟ ନିଖୋଜ ଘଟଣା ନେଇ ସୋମବାର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଘଟଣା ପରେ ପୋଚିଲିମା ଆଇଟିଆଇର କିଛି ସହପାଠୀ ଓ ଅଧ୍ୟାପକ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଶିକ୍ଷା ଅଧ୍ୟୟନ ସକାଶେ ଆବଶ୍ୟକୀୟ ଅର୍ଥ ନଥିବାରୁ ଅର୍ଥ ଯୋଗାଡ଼ କରିବା ପାଇଁ ଚେନ୍ନାଇର କୌଣସି ଏକ କମ୍ପାନୀରେ କାମ କରୁଥିବା ଜଣାଇଥିଲେ । ଦିପାବଳି ଛୁଟି ପରେ ଶିକ୍ଷା ଅଧ୍ୟୟନ ସକାଶେ ପୋଚିଲିମା ଆଇଟିଆଇକୁ ଫେରିଆସିବା ନେଇ ଫୋନ ଯୋଗେ ଜଣାଇଥିବା ପୋଚିଲିମା ଆଇଟିଆଇର ଜଣେ ଅଧ୍ୟାପକ କହିଛନ୍ତି ।