ଆଇଟିଆଇ ବସ୍ତି ବାସିନ୍ଦାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ
ବାଲେଶ୍ୱର, : ସହର ମଧ୍ୟସ୍ଥଳରେ ଥିବା ସରକାରୀ ଆଇଟିଆଇ କ୍ୟାମ୍ପସର ପଛକୁ ୨୩ଟି ଦରିଦ୍ର ପରିବାର ବହୁ ବର୍ଷ ଧରି ରହି ଆସୁଛନ୍ତି । ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବା ସକାଶ ବାଲେଶ୍ୱର ତହସିଲଦାର ବାରମ୍ବାର ନୋଟିସ୍ ଜାରି କରୁଛନ୍ତି । ସେମାନେ ଯେଉଁ ସ୍ଥାନରେ ରହୁଛନ୍ତି, ତାହା ଅଙ୍ଗାରଗଡିଆ ମୌଜାର ପୂର୍ତ୍ତ ବିଭାଗ ନାମରେ ୩୮୬ ଖାତା ଅଧିନରେ ହାଲ୍ ବନ୍ଦୋବସ୍ତ ରେକର୍ଡ ରହିଅଛି । ସୁତରାଂ ଏହା ଏକ ସରକାରୀ ଜମି ଅଟେ । ସେମାନେ ଓଡିଶା ଲେଣ୍ଡ୍ ରାଇଟ୍ ଟୁ ସ୍ଲମ ଡ୍ୱେଲର୍ସ ଆକ୍ଟର ଧାରା ୩ ଅନୁସାରେ ଉକ୍ତ ଜମି ପଟ୍ଟା ପାଇବାକୁ ହକ୍ଦାର ଅଟନ୍ତି । ଓଡିଶା ସରକାରଙ୍କର ଓଡିଶା ଲେଣ୍ଡ୍ ରାଇଟ୍ ଟୁ ସ୍ଲମ ଡ୍ୱେଲର୍ସ ଆକ୍ଟ, ୨୦୧୭ ଅନୁସାରେ ୧୦.୮.୨୦୧୭ ତାରିଖର ବହୁ ପୂର୍ବରୁ ସେମାନେ ଉକ୍ତ ଜମିକୁ ଦଖଲ କରିଆସୁଛନ୍ତି । ତେଣୁ ଆଇନ୍ ଅନୁସାରେ ସରକାର ସେମାନଙ୍କୁ ସେଠାରୁ କିମ୍ବା ଅନ୍ୟ ବାସୋପଯୋଗୀ ସ୍ଥାନରେ ଥଇଥାନ କରିବା ପୂର୍ବରୁ ଉଚ୍ଛେଦ କରିବାକୁ ହକ୍ଦାର ନୁହନ୍ତି । ଏହା ସତ୍ତ୍ୱେ ସେମାନଙ୍କୁ ସେଠାରୁ ଆସନ୍ତା ୧୪.୩.୨୦୨୦ ତାରିଖରେ ବେଆଇନ୍ ଭାବରେ ଉଚ୍ଛେଦ କରିବାକୁ ତହସିଲଦାର ନୋଟିସ୍ ଦେଇଛନ୍ତି । ତେଣୁ ଉପରୋକ୍ତ ବସ୍ତିବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ବେଆଇନ ଉଚ୍ଛେଦ ପ୍ରକ୍ରିୟା ବିରୋଧରେ ବାଲେଶ୍ୱରର ବୁଦ୍ଧିଜୀବୀ ମହଲରେ ଏକ ଆଲୋଡନ ସୃଷ୍ଟି ହୋଇଛି । ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଉକ୍ତ ବିଷୟରେ ଅନୁସନ୍ଧାନ କରିବା ପାଇଁ ଗତ ୨ ତାରିଖରେ ଏକ ଫେକ୍ଟ ଫାଇଣ୍ଡିଂ ଟିମ୍ ସରଜମିନ୍ ତଦନ୍ତ କରି ଜାଣିବାକୁ ପାଇଛନ୍ତି ଯେ ଏହି ବସ୍ତି ବାସିନ୍ଦାମାନଙ୍କର ବାଲେଶ୍ୱର ସହର କିମ୍ବା ଆଖପାଖରେ କୌଣସି ଜମି କିମ୍ବା ଘର ନାହିଁ । ସେମାନଙ୍କ ମଧ୍ୟରେ ଅନେକ ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକ ଅଟନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ବସ୍ତି ବାସିନ୍ଦାମାନେ ଦିନ ମଜୁରିଆ, ଛୋଟ ପାନ ଦୋକାନ, ଚା’ ଦୋକାନ ଏବଂ ସ୍ତ୍ରୀ ବସ୍ତି ବାସିନ୍ଦାମାନେ ବିଭିନ୍ନ ଲୋକଙ୍କ ଘରେ ବାସିକାମ କରି ନିଜେ/ପରିବାର ପ୍ରତିପୋଷଣ କରିଆସୁଛନ୍ତି । ସେମାନଙ୍କର ପିଲାମାନେ ବିଭିନ୍ନ ସ୍କୁଲରେ ପାଠ ପଢୁଛନ୍ତି । ତେଣୁ ସରକାର ଥଇଥାନ କରିବା ପୂର୍ବରୁ ସେମାନଙ୍କର ଘରଗୁଡିକୁ ଭାଙ୍ଗି ଉକ୍ତ ଜମିକୁ ଦଖଲ କରିବା ଭଳି ମାନବିକ ଅଧିକାର ଉଲଙ୍ଘନ କରିବା ସରକାରଙ୍କ ପକ୍ଷେ ଗୁରୁତର ଅବିଚାର ଓ ଅନ୍ୟାୟ ହେବାକୁ ଯାଉଅଛି । ଉକ୍ତ ବସ୍ତି ବାସିନ୍ଦାମାନେ ବିଭିନ୍ନ ସମୟରେ ସେମାନଙ୍କର ଏହି ସମସ୍ୟା ସମ୍ପର୍କରେ ତହଲିସଦାର ତଥା ଜିଲ୍ଲାପାଳଙ୍କୁ ଭେଟିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । ଏହା ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷେ ବେଆଇନ, ଅନ୍ୟାୟ ଏବଂ ଘୋର ମାନବିକତା ବିରୋଧୀ ପଦକ୍ଷେପ ଥିବାରୁ ତାହାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ସବୁ ମହଲରୁ ଦାବି ଉଠୁଛି । ଶେଷରେ ଅନ୍ୟ ଉପାୟ ନପାଇ ବସ୍ତିବାସିନ୍ଦାମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗରୀବ ଗୁରୁବା ବସ୍ତିବାସିନ୍ଦାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛି । ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର କର୍ମକର୍ତ୍ତାମାନେ ଆଜି ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମସ୍ତ କଥା ଅବଗତ କରାଇଥିଲେ ।