ଆଇଟି ହବ୍‌ରେ ପରିଣତ ହେବ ଓଡ଼ିଶା

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ଇଣ୍ଡିଆନ୍ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକଫର ଆସୋସିଏସନ୍‌ର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ. କ୍ରିଷ୍ଣ ମୂର୍ତି ଏବଂ ଏସ୍‌ଏଲ୍‌ଏନ୍ ଟେକ୍‌ନୋଲୋଜିସ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ ଅନୀଲ କୁମାର ମୁନୀସ୍ୱାମୀ ଆଜି ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାକ୍ଷାତ ସମୟରେ ଆଇଟି ଭିତିଭୂମିର ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟରେ ଥିବା ଏସ୍‌ଟିପିଆଇମାନଙ୍କରେ ଥିବା ଆଇଟି ପାର୍କକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସୁବିଧାସୁଯୋଗ, ଆଇଟି ନୀତିର ସରଳୀକରଣ, ନୂଆ ପରିକଳ୍ପନା ଏବଂ ପୁଞ୍ଜିନିବେଶ ଉପରେ ଆଲୋଚନା ହୋଇଥିଲା । ରାଜ୍ୟରେ କୋଭିଡ୍ ପ୍ରକୋପ ବର୍ତମାନ କମୁଥିବା ସମୟରେ ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଲୋଚନା ରାଜ୍ୟ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ଏହି ଆଲୋଚନା ସମୟରେ ଆଇଟି ବିଭାଗ ଶାସନ ସଚିବ ମନୋଜ ମିଶ୍ରଙ୍କ ସମେତ ଏସ୍‌ଟିପିଆଇ ନିର୍ଦ୍ଦେଶକ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ଆଜି ମନ୍ତ୍ରୀ ଶ୍ରୀ ବେହେରା ୫-‘ଟି’ ଆଧାରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା କରିଛନ୍ତି । ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ରାଜ୍ୟର ବିକାଶକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାକୁ ପୂରଣ କରିବା ଦିଗରେ ମନ୍ତ୍ରୀ ଶ୍ରୀ ବେହେରା ନିୟମିତ ସମୀକ୍ଷା କରୁଛନ୍ତି ।ଆଜିର ବୈଠକରେ ଇନ୍‌ଫୋଭ୍ୟାଲି ଓ ଇନ୍‌ଫୋସିଟିରେ ଯେଉଁ ଆଇଟି କମ୍ପାନୀ ଅଛନ୍ତି, ସେମାନଙ୍କ ସୁବିଧା-ଅସୁବିଧା ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବର୍ତମାନ ସୁଦ୍ଧା କେତେ କମ୍ପାନୀ ଆସିଲେଣି ଏବଂ ଆଉ କେତେ କମ୍ପାନୀ ଅଣାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଆଇଟି ବିଭାଗ ଏବଂ ଇଡ୍‌କୋ ମଧ୍ୟରେ ସମନ୍ୱୟ ରକ୍ଷା ସହ ଆଇଟି କମ୍ପାନୀମାନଙ୍କୁ କିଭଳି ଅଧିକ ସୁବିଧାସୁଯୋଗ ଦିଆଯାଇପାରିବଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ସେ ନେଇ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଇଡ୍‌କୋ ସିଜିଏମ୍‌ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ଆଜିର କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍ତ. ଭିନିଲ୍‌କ୍ରିଷ୍ଣା, ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର ଜେନା, ରଞ୍ଜିତ ପରିଡ଼ା ଏବଂ ଉପଶାସନ ସଚିବ ମଧୁସୂଦନ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ୫-‘ଟି’ ଆଧାରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ