ଆଇନଜୀବୀ ହରିଶ ସାଲଭେ କରିବେ ଦ୍ୱିତୀୟ ବିବାହ
ନୂଆଦିଲ୍ଲୀ: ଦେଶର ଖ୍ୟାତନାମା ଆଇନଜୀବୀ ୬୫ ବର୍ଷୀୟ ହରିଶ ସାଲଭେ ଆସନ୍ତାକାଲି (୨୮ ଅକ୍ଟୋବର, ୨୦୨୦) ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି । ନିଜର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେ ଲଣ୍ଡନରେ ରହୁଥିବା କଳାକାର ୫୬ ବର୍ଷୀୟା କାରୋଲିନ ବ୍ରୋସାର୍ଡଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ, ୬୫ ବର୍ଷୀୟ ହରିଶ ସାଲଭେ ଚଳିତ ବର୍ଷ ଜୁନ୍ ମାସରେ ତାଙ୍କ ପତ୍ନୀ ୩୮ ବର୍ଷ ବୟସ୍କା ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇଥିଲେ । ଚଳିତ ଜାନୁଆରିରେ ଇଂଲଣ୍ଡ ଏବଂ ୱେଲ୍ସରେ ବ୍ରିଟେନ୍ ରାଣୀଙ୍କ ଆଇନ୍ ପରାମର୍ଶଦାତା (କ୍ୱିଇନସ୍ କାଉନସେଲ) ହେବା ପୂର୍ବରୁ ସାଲଭେ ଭାରତର ପୂର୍ବତନ ସଲିସିଟର ଜେନେରାଲ୍ ଥିଲେ। ସୁପ୍ରିମ୍ କୋର୍ଟରେ ଅନେକ ହାଇ-ପ୍ରୋଫାଇଲ୍ ମାମଲା ଲଢ଼ିବା ସହ ଦେଶର ଜଣେ ବ୍ୟସ୍ତବହୁଳ ଓ ଖ୍ୟାତନାମା ଆଇନଜୀବୀ ଭାବେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ ହରିଶ ସାଲଭେ । ଇଂଲଣ୍ଡରେ ଆୟୋଜିତ ଏକ ଆର୍ଟ ଇଭେଣ୍ଟରେ ୫୬ ବର୍ଷୀୟା କଳାକାର କାରୋଲିନ ବ୍ରୋସାର୍ଡଙ୍କ ସହ ସଂପର୍କରେ ଆସିବା ପରେ ହରିଶ ସାଲଭେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ବୋଲି ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ।