ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ବର୍ଜ୍ୟ ବସ୍ତୁ ପରିଚାଳନା\’ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘କଠିନ ବର୍ଜ୍ୟ ବସ୍ତୁ ପରିଚାଳନା\’ ଶୀର୍ଷକ ଏକ ଆଲୋଚନାଚକ୍ର ସତ୍ୟସାଇ ଇଂଜିନିୟରିଂ କଲେଜରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ସଭାପତି ଚିନ୍ତାମଣି ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ବର୍ଜ୍ୟବସ୍ତୁ ପରିଚାଳନା ସମ୍ପ୍ରତି ସମଗ୍ର ବିଶ୍ୱ ପାଇଁ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏନେଇ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଇନରେ ଥିବା ବିଭିନ୍ନ ଧାରା ସମ୍ପର୍କରେ ଶ୍ରୀ ପଣ୍ଡା ସମସ୍ତଙ୍କୁ ଅବଗତ କରିଥିଲେ । ସତ୍ୟସାଇ ଗ୍ରୁପ ଅଫ ଏଜୁକେସନର ଚେୟାରମ୍ୟାନ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଏଥିରେ ଯୋଗଦେଇ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ନହେଲେ ଏହା ପରିବେଶ ପ୍ରତି ମହାବିପଦ ସୃଷ୍ଟି କରିବ । ଏନେଇ \”ସ୍ୱଚ୍ଛ ଭାରତ ଅଭିଯାନ’କୁ ଆଗେଇ ନେବା ସହ ବର୍ଜ୍ୟବସ୍ତୁ ପରିଚାଳନାରେ ଜନସାଧାରଣ ଅଂଶୀଦାର ହେବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ପେନାଲ ଲୟର ସଦସ୍ୟ ସତ୍ୟେନ୍ଦ୍ର ଉମାଶଙ୍କର ରାଉତଙ୍କ ଆବାହକତ୍ୱରେ ଆୟୋଜିତ ସଚେତନତା ଶିବିରରେ ଜିଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଡେପୁଟି ଡାଇରେକ୍ଟର ଭୀମ ଚରଣ ମାରାଣ୍ଡି, ବାଲେଶ୍ୱର ପୌରପାଳିକା ପରମଳ ଅଧିକାରୀ କମଳ ଲୋଚନ ପାତ୍ର, ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ଜିଲା ସଭାପତି ଗଙ୍ଗାଧର ରାଉତ ଓ ସମ୍ପାଦକ ବିବେକାନନ୍ଦ ଦାସ, ସତ୍ୟସାଇ ଇଞ୍ଜିନିୟରିଙ୍ଗ କଲେଜର ଅଧ୍ୟକ୍ଷ ଯତୀନ୍ଦ୍ର ନାଥ ଦାସ, ସତ୍ୟସାଇ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଭାତ ରଞ୍ଜନ ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ କଠିନ, ତରଳ ଓ ବିପଦ ଜନକ ବର୍ଜ୍ୟବସ୍ତୁ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ