ଆଇପିଏଲ୍ ଫାଇନାଲ୍ ଚେନ୍ନାଇ ବିପକ୍ଷରେ ମୁମ୍ବାଇର ପଲା ଭାରୀ

ହାଇଦ୍ରାବାଦ, ୧୧ା୫ (ଏଜେନ୍ସି): ଆଇପିଏଲ୍ର ଦୁଇ ସଫଳ ଦଳ – ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ରବିବାର ମୁକୁଟ ପାଇଁ ମୁହାଁମୁହିଁ ହେବେ । କ୍ରିକେଟ୍ପ୍ରେମୀ ଏକ ରୋମାଞ୍ଚକର ଫାଇନାଲ୍ ଆଶା କରିବା ସ୍ୱାଭାବିକ । ତେବେ ଆକଳନ ଅନୁଯାୟୀ ଚେନ୍ନାଇ ବିପକ୍ଷରେ ମୁମ୍ବାଇର ପଲା ଭାରୀ ରହିଛି ।
ଦ୍ୱାଦଶ ସଂସ୍କରଣରେ ମୁମ୍ବାଇ ଦଳ ତିନିଥର ଚେନ୍ନାଇକୁ ପରାଜିତ କରିଛି, ତନ୍ମଧ୍ୟରେ ମଙ୍ଗଳବାର ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର୍ ମଧ୍ୟ ରହିଛି । ଅବଶ୍ୟ ପରିସଂଖ୍ୟାନ କୌଣସି ଦଳ ସପକ୍ଷରେ ନାହିଁ, କାରଣ ଉଭୟ ଦଳ ଅନେକ ଥର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଏବଂ ମୁକୁଟ ଜିତିଛନ୍ତି ।
ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଏଯାବତ ଚାରିଟି ଫାଇନାଲ୍ ଖେଳି ତିନିଥର ମୁକୁଟ ଜିତିଛି । ତନ୍ମଧ୍ୟରେ ଦୁଇ ଥର ୨୦୧୩ ଓ ୨୦୧୫ରେ ଚେନ୍ନାଇ ବିପକ୍ଷରେ ମୁକୁଟ ସଫଳତା ମିଳିଛି । ଅନ୍ୟପଟେ ତିନିଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଅଷ୍ଟମ ଥର ଫାଇନାଲ୍ରେ ପ୍ରବେଶ କରିଛି । ଚେନ୍ନାଇ ପାଇଁ ଚଳିତ ସିଜିନ୍ ଖୁବ୍ ଭଲ ରହିଥିଲା । ଫଳାଫଳ ଯାହା ବାହାରୁ ପଛେ ଉଭୟଙ୍କ ମଧ୍ୟରେ ଏହି ଫାଇନାଲ୍ ଆଉ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ିବ ।
ଚେନ୍ନାଇକୁ ଫାଇନାଲ୍ ପୂର୍ବରୁ ମଜଭୁତ ରଣକୌଶଳ ପ୍ରସ୍ତୁତ କରିବାକୁ ହେବ, କାରଣ ମୁମ୍ବାଇ ଦଳ ତାକୁ ଚଳିତ ସିଜିନ୍ରେ ତିନିଥର ହରାଇସାରିଛି । ଅନ୍ୟପଟେ ରୋହିତ୍ ଆଣ୍ଡ କମ୍ପାନୀକୁ ଚେନ୍ନାଇର ସ୍ପିନର୍ଙ୍କ ଠାରୁ ସତର୍କ ରହିବାକୁ ହେବ, କାରଣ ଅନ୍ୟ ଦଳର ବ୍ୟାଟ୍ସମ୍ୟାନ୍ ଇମ୍ରାନ୍ ତାହିର, ହରଭଜନ ସିଂହ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଆଗରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଚେନ୍ନାଇର ପେସର୍ ଦୀପକ ଚହର ମଧ୍ୟ ପ୍ରଭାବିତ କରିଛନ୍ତି । ସେ ଏଯାବତ ୧୯ଟି ୱିକେଟ୍ ନେଲେଣି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ କ୍ୱାଲିଫାୟର୍ରେ ମୁମ୍ବାଇ ଦଳ ଚେନ୍ନାଇକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା । ଚେନ୍ନାଇ ଦ୍ୱିତୀୟ କ୍ୱାଲିଫାୟର୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ଦେଇ ମୁକୁଟ ପର୍ଯ୍ୟାୟରେ ପ୍ରବେଶ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ