ଆଇପିଏଲ ଜୁଆରେ ଯୁବ ପିଢି : ବଢୁଛି ବେଆଇନ ବେଟିଂ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ପର୍ବ ଦଶହରା ବା ଦୁର୍ଗାପୂଜା ବେଳେ ଯୁବଗୋଷ୍ଠୀ ମାନେ ସାଧାରଣତଃ କୁମାର ଉତ୍ସବ ପର୍ଯ୍ୟନ୍ତ ଜୁଆ ଖେଳରେ ଲିପ୍ତ ରହୁଥିବା ଜଣାପଡିଛି । ସଂପୃକ୍ତ ସମୟରେ ସ୍ଥାନୀୟ ପୁଲିସ ପ୍ରଶାସନର ଅର୍ତକିତ ଚଢାଉ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ଜୁଆ ଖେଳରୁ ନିବୃତ ରହୁଥିବା ଜଣାପଡ଼ିଛି । ତେବେ ଚଳିତ ସିଜନରେ କ୍ରିକେଟ ଆଇପିଏଲ ଚାଲୁ ରହିଥିବା ବେଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳର ଯୁବ ଗୋଷ୍ଟୀ ଆଇପିଏଲ ଜୁଆରେ ମାତିଥିବାର ଜଣାପଡ଼ିଛି । ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଛକ ସ୍ଥାନର ଚାହା ଓ ପାନ ଦୋକାନରେ ଯୁବ ଗୋଷ୍ଠୀଙ୍କ ଖଟି ଜମିବା ସହ କ୍ରିକେଟ ଖେଳକୁ ନେଇ ଚାଲୁଛି ବେଆଇନ ବେଟିଂ । ପ୍ରତିପକ୍ଷ ଟିମ୍ରେ କିଏ ଜିତିବ, କିଏ ହାରିବ ସେ ନେଇ ଟଙ୍କା ଲଗାଯାଉଛି । ପ୍ରତି ଓଭରର ଛକା, ୱିକେଟ, କ୍ୟାଚ୍, ଦଳଗତ ରନ ସ୍କୋର ସମେତ ବ୍ୟକ୍ତିଗତ ରନ ସ୍କୋରକୁ ନେଇ ଚାଲୁଛି ବେଟିଂ । ଏପରିକି ଅନଲାଇନ ମାଧ୍ୟମରେ ବେଟିଂ କାରବାର ହେଉଥିବା ଜଣାପଡ଼ିଛି । ସର୍ବସାଧାରଣ ସ୍ଥାନରେ କିଛି କୋଡ଼୍ ୱାର୍ଡ଼ ବ୍ୟବହାର କରାଯାଇ ବେଟିଂ କରାବାର ହେଉଥିବା ଜଣାପଡ଼ିଛି । ଏଭଳି ଭାବେ ପ୍ରତ୍ୟହ ଲକ୍ଷ ଲକ୍ଷ ଟଙ୍କାର ବେଟିଂ କାରବାର ହେଉଥିବା ଶୁଣିବାକୁ ମିଳୁଛି । କେହି କେହି ରାତାରାତି ଲକ୍ଷପତି ହେଉଥିବା ବେଳେ କେହି କେହି ସ୍ୱର୍ବଶାନ୍ତ ହେଉଛନ୍ତି । ଫୋନ ଓ କୋଡ ୱାର୍ଡ଼ ମାଧ୍ୟମରେ ଆଇପିଏଲ ଜୁଆ ଖେଳ ଓ ବେଟିଂ କାରବାର ଚାଲୁଥିବାରୁ ସ୍ଥାନୀୟ ପୁଲିସ ପ୍ରଶାସନ ନିକଟରେ କୌଣସି ପ୍ରକାର ସୂଚନା ରହୁନଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ବିଗତ ବର୍ଷରେ ଆଇପିଏଲ ଜୁଆ ଖେଳରେ ସ୍ୱର୍ବଶାନ୍ତ ହେବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ନଜିର ରହିଛି ।


