ଆଇସିସିଆର କାର୍ଯ୍ୟାଳୟ କୋଲକତାକୁ ସ୍ଥାନାନ୍ତର ପ୍ରତିବାଦରେ ପ୍ରେରଣା ପକ୍ଷରୁ ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱରରୁ କୋଲକତା ସ୍ଥାନାନ୍ତର ଜୁଲାଇ ମାସ ୧ ତାରିଖରେ ହେବ ବୋଲି ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରୁ କୋଲକତା ସ୍ଥାନାନ୍ତର ହେଲେ ଓଡ଼ିଶାର କଳା, ସଂସ୍କୃତିର ପ୍ରସାର, ପ୍ରଚାରରେ ବ୍ୟାପକ ପ୍ରତିବନ୍ଧକ ସୃଷ୍ଟି ହେବ । ତେଣୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ବହୁ ସଂସ୍କୃତିପ୍ରେମୀ ଓ ସାଂସ୍କୃତିକ ଅନୁଷ୍ଠାନର ସହଯୋଗରେ ତା ୧୦.୦୬.୨୦୨୨ରିଖ ଦିବା ୧୦ ଘଟିକା ସମୟରେ ପଳାଶପଲ୍ଲୀସ୍ଥିତ ଆଇସିସିସିଆର୍ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ପ୍ରକାଶଥାଉକି, ଯଦି ଏହି ଆଞ୍ଚଳିକ କାର୍ଯ୍ୟାଳୟ କୋଲକତାକୁ ସ୍ଥାନାନ୍ତର ହୁଏ ତେବେ ଓଡ଼ିଶାର କଳା, ସଂସ୍କୃତି ପ୍ରଚାର ପ୍ରସାରରେ କେବଳ ବ୍ୟାଘତ ସୃଷ୍ଟି ହେବ ତାହାନୁହେଁ, ଦେଶ ବିଦେଶରୁ ଆସୁଥିବା ବହୁ ସଂସ୍କୃତିକ ଗବେଷକ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଓଡ଼ିଶାର ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ ନାହିଁ । ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜକୁ ଚାରିବର୍ଷ ତଳେ କୋଲକତାକୁ ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଏହାକୁ ଓଡ଼ିଶାରୁ ସ୍ଥାନାନ୍ତର ନ କରିବା ପାଇଁ ଦୃଢ ପ୍ରତିବାଦ କରାଯିବାରୁ ତାହା ବନ୍ଦ ରହିଥିଲା । ପୁଣି ସେହି ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି ଓ ଜୁଲାଇ ମାସ ୧ ତାରିଖ ସୁଦ୍ଧା ନିଶ୍ଚିତ ସ୍ଥାନାନ୍ତର ହେବ ବୋଲି ଭାରତ ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାୟୀଗୃହ ନିର୍ମାଣ ପାଇଁ ସହର ମଝିରେ ଦୁଇ ଏକର ଜମି ପ୍ରଦାନ କରିବାକୁ ୨୦୧୬ ମସିହା ଜାନୁୟାରୀ ମାସରେ ଆଇସିସିଆର୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ପରେ ୨୦୧୬ ଏପ୍ରିଲ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଆଇସିସିଆର୍ ଚିଠି ଲେଖି ଆଇସିସିଆର୍ ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଜମି ଦେବାକୁ ଅନୁରୋଧ କରି ବିଫଳ ହୋଇଥିଲେ । ସେହିପରି ୨୦୧୮ ମସିହାରେ ଆଇସିସିଆର୍ ପକ୍ଷରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସକୁ ଆଞ୍ଚଳିକ କାର୍ଯ୍ୟାଳୟ ନିମନ୍ତେ ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ ସଂସ୍କୃତି ବିଭାଗକୁ ନିବେଦନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହେଲା ନାହିଁ । ସେହିପରି ୨୦୧୮, ଜୁନ୍ ୨୫ରେ ସତ୍ୟନଗରସ୍ଥିତ ତୋଷାଳି ଭବନରେ ଆଇସିସିଆର୍ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଜାଗା ଦେବାକୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଆଇସିସିଆର୍ ପକ୍ଷରୁ ନିବେଦନ କରାଯାଥିଲେ ମଧ୍ୟ କୌରସି ଫଳ ମିଳିନଥିଲା । ଏହି ପରିପ୍ରେକ୍ଷୀରେ ଏହି ପତ୍ରାଳାପ ମଧ୍ୟରେ ୨୦୧୮ ମସିହାରେ ଏହି କାର୍ଯ୍ୟାଳୟକୁ କୋଲକତା ସ୍ଥାନାନ୍ତର ପାଇଁ ଅ।।ଇସିସିଆର୍ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଗଲା । କିନ୍ତୁ ଏହାର ଦୃଢ ପ୍ରତିବାଦ ପରେ ଏହି ନିଷ୍ପତ୍ତି ବନ୍ଦ ଥିଲା । ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପରିଷଦ ଜୁଲାଇ ମାସ ୧ ତାରିଖରେ ଏହି କାର୍ଯ୍ୟାଳୟ ଓଡ଼ିଶାରୁ ବନ୍ଦ ହୋଇ କୋଲକତାରେ କାର୍ଯ୍ୟକାରୀ ହେବ ବୋଲି ନୋଟିସ୍ ଜାରି କରିଛନ୍ତି । ତେଣୁ ସଂସ୍କୃତିପ୍ରେମୀ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାକୁ ଓଡ଼ିଶାରୁ ସ୍ଥାନାନ୍ତର ନ କରିବା ପାଇଁ ପ୍ରେରଣା ପକ୍ଷରୁ ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆଜି ପଳାଶପଲ୍ଲୀସ୍ଥିତ ଆଇସିସିଆର୍ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏ ସମ୍ପର୍କରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ଏହି ଧାରଣାରେ ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଓଡ଼ିଶୀ ନୃତ୍ୟଗୁରୁ ସନାତନ ନାୟକ, ବିଶିଷ୍ଟ କବି ମଙ୍ଗଳା ପ୍ରସାଦ ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନିରୋଧ ଖୁଣ୍ଟିଆ, ରାଜ୍ୟ ସଂଯୋଜକ ମୀର ଅହମ୍ମଦ ଅଲ୍ଲୀ, ଅଜୟ ଗୁମାନ ସିଂ, ମନୋରଞ୍ଜନ ବାରିକ, ଭାରତ ପେପରମ୍ୟାନ ଶଶାଙ୍କ ଶେଖର ଦାସ, ବିଶିଷ୍ଟ ଆଇନଜୀବୀ ଜୟଚନ୍ଦ୍ର ଦାସ, ବୁକ୍ ଅଫ ଲିମ୍‌କା ରେକର୍ଡ଼ଧାରୀ ପେପର ସଂଗ୍ରାହକ ବିଭୂତ ପଟ୍ଟନାୟକ ଓ ସମାଜସେବୀ ନିଲୁ ଖୁଣ୍ଟିଆ ପ୍ରଖୁଖ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଉପସ୍ଥିତ ରହି ଆଇସିସିଆର୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ତୀବ୍ର ବିରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ