ଆଇସିସି ଗାଇଡଲାଇନ ଅବ୍ୟବହାରିକ: ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: କୋରୋନା ପାଇଁ ପଡ଼ିଆରୁ ଅପସରି ଯାଇଥିବା କ୍ରିକେଟକୁ ପୁଣି ଥରେ ଫେରାଇ ଆଣିବା ପାଇଁ ଆଇସିସି ପକ୍ଷରୁ କେତେକ ଗାଇଡଲାଇନ ଜାରି ହୋଇଛି। ବିଶେଷକରି ଖେଳାଳିମାନେ କିପରି ଭାବେ କେରାନା ସଂକ୍ରମଣରୁ ନିଜକୁ ଦୂରେଇ ରଖି ଖେଳିପାରିବେ, ତାହାକୁ ଆଧାର କରି ଆଇସିସି ଗାଇଡଲାଇନ କରିଛି। ମାତ୍ର ଏହା ଅତି ଅଧିକ ହୋଇଯାଇଛି ବୋଲି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, ଇରଫାନ ପଠାନ ଓ ମଣ୍ଟି ପାନେସାର କହିଛନ୍ତି। ଖେଳାଳିଙ୍କୁ ଖେଳ ଆରମ୍ଭ ପୂର୍ବରୁ ଖେଳାଳିଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି। ମାତ୍ର ଅନ୍ୟ କେତେକ ଗାଇଡଲାଇନ ପାଳନ ଅସମ୍ଭବ ବୋଲି କୁହାଯାଇଛି। ବିଶେଷକରି ବଲକୁ ହାତରେ ଧରିବା ପରେ ପ୍ରତି ଥର ହାତରେ ସାନିଟାଇଜର ଲଗାଇବା, ଟ୍ରେନିଂ ବେଳେ ଖେଳାଳିମାନେ ନେଉଥିବା ସାୱାର ବ୍ରେକ୍ ପାଇଁ ଅନୁମତି ମିଳବ ନାହିଁ ବୋଲି ହୋଇଥିବା ଗାଇଡଲାଇନ ଗ୍ରହଣଯୋଗ୍ୟ ନୁହେଁ ବୋଲି କୁହାଯାଇଛି। ସେହିପରି ଖେଳ ଆରମ୍ଭ ପୂର୍ବରୁ ଚେଞ୍ଜିଂ ରୁମ୍ ଟାଇମକୁ କମାଇ ଦିଆଯିବା ମଧ୍ୟ ଠିକ ନୁହେଁ ବୋଲି କହିଛନ୍ତି। ସେହିପରି ନିଜର କ୍ୟାପ, ସନଗ୍ଲାସ, ଟାୱେଲ୍ସ ଆଦି ଅନ୍ୟ କେହି ଯେପରି ନ ଛୁଇଁବେ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯିବା କ୍ରିକେଟ ପରି ଖେଳରେ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଏପରି କଟକଣା ଆପଣ ଇଣ୍ଡିଭିଜୁଆଲ ଗେମରେ କରିପାରନ୍ତି। ମାତ୍ର ଏପରି କଟକଣା ଟିମ ଗେମରେ କରି ଗ୍ରହଣଯୋଗ୍ୟ ନୁହେଁ ବୋଲି ଏହି ପୂର୍ବତନ କ୍ରିକେଟର କହିଛନ୍ତି। କ୍ରିକେଟ ଓ ଫୁଟବଲ ପରି ଖେଳରେ ଏପରି କଟକଣା ନେଇ ପଡ଼ିଆକୁ ଓହ୍ଲାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି।


