ଆଇ.ଏନ.ଟି.ୟୁ.ସି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଆଇ.ଏନ.ଟି.ୟୁ.ସି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇ.ଏନ.ଟି.ୟୁ.ସି ରାଜ୍ୟ କମିଟି ସଦସ୍ୟ ତଥା କେନ୍ଦ୍ରାପଡା ଜିଲ୍ଲା କମିଟିର ସଭାପତି ମୁକ୍ତାର ଖାଁଙ୍କ ଅଧ୍ୟକ୍ଷତାରେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ଅପାରଗତା ଯୋଗୁ ନେସ୍କୋ, ସେସ୍କୋ, ସାଉଥକୋ ଏବଂ ୱେସ୍କୋ କମ୍ପାନୀଗୁଡିକ ବିଦ୍ୟୁତ ଆବଂଟନ କ୍ଷେତ୍ରରେ ସରବରାହ ଜନିତ କ୍ଷତି ଓ ଗରିବ ଲୋକମାନଙ୍କ ଠାରୁ ଜୋରଜବରଦସ୍ତ ଏନ.ଜେ.ନ. ଓ ରିଲାଏନ୍ସ କମ୍ପନୀର ଗୁଣ୍ଡାମାନଙ୍କ ଦ୍ୱାର ବକେୟା ବିଲ ଆଦାୟ କରି ଓପିଜିସି ଓ ଏନଟିପିସିକୁ ଟଙ୍କା ନ ଦେଇ ଓଡିଶା ସରକାରଙ୍କୁ ଚିତାକାଟି ପଳାଇଗଲେ । ଏହି କ୍ଷତିକୁ ଭରଣାକରିବା ପାଇଁ ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ବାରମ୍ବାର ଦାବି ରଖିବା ସହ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ସଂଘର କୌଣସି ଦାବିକୁ ବିଚାରକୁ ନ ନେଇ ୟୁନିଟ ପିଛା ୨୦ ପଇସା ବିଦ୍ୟୁତ ଶୁଳ୍କ ବୃଦ୍ଧି କଲେ । କେନ୍ଦ୍ର ସରକାର କୃଷି ନିତି ଉପରେ ବିରୋଧିମାନଙ୍କ ସଂଶୋଧିତ ପ୍ରସ୍ତାବକୁ ଗ୍ରହଣ ନ କରି ଏକଚାଟିଆ ଅଧ୍ୟାଦେଶ ଜାରି କଲେ । ନିର୍ମାଣ ଶ୍ରମିକ ପଞ୍ଜିକରଣ, ଯନ୍ତ୍ରପାତି, ସାଇକେଲ, ପ୍ରସୁତି, ବିବାହ, ମୃତ୍ୟୁ, ଶିକ୍ଷା ଓ ଦୁର୍ଘଟଣା ଜନିତ ସହାୟତା ବର୍ଷ ବର୍ଷ ଧରି ପ୍ରଦାନ କରାଯାଉନାହିଁ । ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ବର୍ଷ ବର୍ଷ ଧରି ବିପୁଳ ଲାଭ କରୁଥିଲେ ମଧ୍ୟ ଏମ.ଏମ.ଟି.ସି.ଓ ନିଗମ କର୍ତୃପକ୍ଷଙ୍କ ସଲାସୁତୁରାରେ ଏହାକୁ ବେସରକାରୀ ସଂସ୍ଥାକୁ ବିକ୍ରି ପାଇଁ ନିଷ୍ପତି ନେଲେ । ହଜାର ହଜାର କର୍ମଚାରୀ, ଶ୍ରମିକ, ଖଟିଖିଆ ଗରିବ ଲୋକ ଏହା ଦ୍ୱାରା କରୋନା କାଳରେ ବେକାର ହେଲେ । ଶ୍ରମ ଆଇନ ପ୍ରତ୍ୟାହାର ଓ ଦରଦାମ ବୃଦ୍ଧି ରୋକିବା, କୃଷି କଳାବିଲ ପ୍ରତ୍ୟାହାର କରିବା, ବେକାର ସମସ୍ୟା ଦୂର କରିବା ଉପରେ ଧାରଣାସ୍ଥଳରେ ନେତୃବୃନ୍ଦମାନେ ଆଲୋକପାତ କରିଥିଲେ । ଏହାକୁ ବିରୋଧ କରି ରାଜ୍ୟ ଆଇ.ଏନ.ଟି.ୟୁ.ସି ପକ୍ଷରୁ ରାଜ୍ୟ ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆଙ୍କ ଆହ୍ୱାନରେ ତୃତୀୟ ଦିବସରେ ଆଇ.ଏନ.ଟି.ୟୁ.ସିର ଜିଲ୍ଲା ସଭାପତି ମୁକ୍ତାର ଖାଁ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘର ସଭାପତି ଫକୀର ଚରଣ ଖଟୁଆ, ସାଧାରଣ ସମ୍ପାଦକ ବିଧୁଭୂଷଣ ମହାପାତ୍ର, ଆଇ.ଏନ.ଟି.ୟୁ.ସିର ସଂପାଦକ ମହେନ୍ଦ୍ର କୁମାର ପରିଡା, ରାଜ୍ୟ ଆଇ.ଏନ.ଟି.ୟୁ.ସି ର ଉପସଭାପତି କୃଷ୍ଣଚନ୍ଦ୍ର ରାଉତ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ବସନ୍ତ କୁମାର ସେଠୀ, ରଶ୍ମିରଞ୍ଜନ ଚୈାଧୁରୀ, ମୀର ମୁର୍ଶିଦ, ପ୍ରକାଶ ପରିଜା, ଜସ୍ମିନ ବେଗମ, ନୃସିଂହ ପରିଜା, ଅଶୋକ ଲେଙ୍କା, ସେକ ମେହେବୁବ୍ , ଧରଣୀଧର ସୁଆର, ଆଇ.ଏନ.ଟି.ୟୁ.ସିର ସଭ୍ୟ ପ୍ରଦିପ୍ତ କୁମାର ମହାନ୍ତି, ସର୍ବେଶ୍ୱର ସେଠୀ, ଭାଗିରଥୀ ଜେନା, ସନ୍ତୋଷ ମଲ୍ଲିକ, ମନୋଜ ମଲ୍ଲିକ ପ୍ରମୁଖ ଶତାଧିକ ଶ୍ରମିକ ମାନେ ଧାରଣାରେ ବସିଥିଲେ । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ