ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କଲା  ହିନ୍ଦ୍ ମଜଦୁର ସଭା ସଂଘ

ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲାର ହିନ୍ଦ୍ ମଜଦୁର ସଭା ସଂଘର ଆବାହକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ଓଡିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବି ପତ୍ରରେ ଯାହା ଲିଖିତ ରହିଛି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଆଉଟସୋର୍ସିଙ୍ଗରେ କାର୍ଯ୍ୟରତ ପ୍ରାୟ ଅଢେଇ ଲକ୍ଷ କର୍ମଚାରୀଙ୍କୁ ମୋ ସରକାର ଅଧିନକୁ ନିଆଯାଇଥିବାରୁ ହିନ୍ଦ୍ ମଜଦୁର ସଭା (H.M.S.) କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଏହାକୁ ସ୍ବାଗତ କରାଯିବା ସହିତ କାର୍ଯ୍ୟରତ ଆଉଟସୋର୍ସଙ୍ଗ କର୍ମଚାରୀଙ୍କୁ ସର୍ବନିମ୍ନ ମାସିକ ୨୫ ହଜାର ଟଙ୍କା ପରିଶ୍ରମିକ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି । ଅନ୍ତତଃ ଏହି ଘଟଣା ପରେ କର୍ମଚାରୀ ମାନେ ସୁରକ୍ଷିତ ହୋଇ ପାରିବେ ଏବଂ ସର୍ଭିସ ପ୍ରୋଭାଇଡିଙ୍ଗ ସଂସ୍ଥାମାନେ ମନମାନି କାର୍ଯ୍ୟ କରିପାରିବେ ନାହିଁ । ଯେଉଁସବୁ ପୂର୍ବରୁ ସମସ୍ୟା ଦେଖା ଦେଇଥିଲା ଯଥା ଦରମା ପ୍ରଦାନ, ଇ ଏସ ଆଇ, ଇ ପି ଏଫ ନିର୍ଧାରିତ ସମୟରେ ପଇଠ ହୋଇ ପାରୁ ନଥିଲା ଏହା ଫଳରେ ଏହି ସମସ୍ୟା ଦୂର ହୋଇ ପାରିବ ଏବଂ ସମ୍ପୃକ୍ତ ପ୍ରୋଭାଇଡର ସଂସ୍ଥା ନିର୍ଦ୍ଦିଷ୍ଟ ନୀତି ନିୟମ ପ୍ରକାରେ କାର୍ଯ୍ୟ କରିବ ।ଇତି ମଧ୍ୟରେ ରାଜ୍ୟ ସରକାର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖ୍ ଖର୍ଚ୍ଚ କାଟ ଓ ନିଯୁକ୍ତି ସଂକୋଚନ ନୀତିରେ ସରକାରୀ ସ୍ତରରେ ଲକ୍ଷାଧିକ ପଦବୀ ଉଚ୍ଛେଦ ହୋଇଥିବା ବେଳେ ପ୍ରାୟ ଅଢେଇ ଲକ୍ଷ ପଦବୀ ଖାଲି ରହିଛି ଏବଂ ଜଣେ ଠିକା ଶ୍ରମିକ ନିଯୁକ୍ତି ଆଇନ ୧୯୭୧ ଦଶ ଧାରା ଅନୁଯାୟୀ ୧୨ମାସରୁ ଅଧିକ ସମୟ ଠିକା କର୍ମଚାରୀ ଭାବେ ନିଯୁକ୍ତି କରିବା ବେଆଇନ ଅଟେ । ତାହା ସତ୍ତ୍ବେ ସରକାରୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଉପରେ ନିର୍ଭର କରାଯାଉଛି । ବିଶେଷ କରି ଶିକ୍ଷା ବିଭାଗ ପୌର ସଂସ୍ଥା, ଡାକ୍ତର ଖାନା, ବିଦ୍ୟୁତ, ଗ୍ରାମ ପରିମଳ ଇତ୍ୟାଦି ବିଭାଗରେ ଏହି କର୍ମଚାରୀମାନେ କାର୍ଯ୍ୟ କରନ୍ତି । ସମ୍ପୃକ୍ତ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଦିଆଯାଇଥାଏ, ଏହି ଅର୍ଥ ୧୮ ପ୍ରତିଶତ G.S.T.ମଧ୍ୟ କଟାଯାଏ। ଉକ୍ତ ଦରମାରେ ପରିବାର ପ୍ରତିପୋଷଣ କରିବାରେ କର୍ମଚାରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।ତେଣୁ ଏକ ଜନ କଲ୍ୟାଣ ରାଜ୍ୟର ସରକାର ଉକ୍ତ କର୍ମଚାରୀ ମାନଙ୍କ ସମାନ କାମକୁ ସମାନ ଦରମା ପ୍ରଦାନ ନୀତିରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ