ଆଉ ଦୁଇଦିନ ବଢିଲା ଯାତ୍ରା ପ୍ରତି ସାହିରୁ ଗଜମୁଆଁ ଭୋଗ ଲାଗିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାୟଗଡ଼ା ବ୍ଲକ ମହକୁମାର ଓଡ଼ିଆ ସାହିରେ ଚାଲିଥିବା ମା’ କମଳା ଦେବୀ ଠାକୁରାଣୀଙ୍କ ଯାତ୍ରା ଆଉ ଦୁଇ ଦିନ ବଢି ଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ପ୍ରତି ସାହିରୁ ମା’ଙ୍କ ପାଇଁ ଗଜମୁହାଁ ଭୋଗ ଲାଗିଥିଲା। ଠାକୁରାଣୀଙ୍କ ନିକଟରେ ଗଜମୁହାଁ ଭୋଗ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଥିବା ବେଳେ ଆଜି ବି ଲୋକେ ଏହାକୁ ପାଳନ କରିଆସୁଛନ୍ତି। ଗଜମୁଆଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ଗ୍ରାମର ଯେଉଁ ସାହିରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ସେଠାକୁ ପ୍ରତି ସାହିରୁ ଲିଆ, ଗୁଡରେ ପ୍ରସ୍ତୁତ ଗଜମୁଆଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ଗଜମୁଆଁ ପ୍ରସ୍ତୁତ କରାଯାଏ | ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରି ଅସ୍ଥାୟୀ ମଣ୍ଡପ ଠାରେ ପହଞ୍ଚିଥାନ୍ତି I ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପାଇଥାନ୍ତି। ମୁହାଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ସ୍ବତନ୍ତ୍ରତା ରହିଛି। ଏଥିରେ ପିଲା ଠାରୁ ବୁଢା ସମସ୍ତେ ସାମିଲ ହୋଇ ମଜା ଉଠାଇଥାନ୍ତି। ପ୍ରକାଶ ଯେ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ଓଡ଼ିଆ ସାହିରେ ମା’ ଗ୍ରାମଦେବୀଙ୍କ ଠାକୁରାଣୀ ଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ସାତ ଦିନ ଧରି ଚାଲିଥିବା ଯାତ୍ରା ଦୀର୍ଘ ସାତ ବର୍ଷ ପରେ ଉକ୍ତ ଅନୁଷ୍ଠିତ ହେଉଥିବାରୁ ରାୟଗଡ଼ ଚଳଚଞ୍ଚଳ ହୋଇ ଉଠିଛି। ଦିନରେ ଟଣା ଖରା ସତ୍ତ୍ବେର୍ଦ୍ଧ୍ୱ ମାନସିକ ଧାରୀ ମାନେ ବେଶଭୂଷା ବାହାରି ଗାଁ ବୁଲିଥାନ୍ତି। ପ୍ରବଳ ଭିଡ ଜମୁଛି ମା’ଙ୍କ ସନ୍ଧ୍ୟା ଆଳତି ପରେ ନଗର ପରିକ୍ରମାରେ ବାହାରି ବିଭିନ୍ନ ସାହିର ପ୍ରତି ଗଳିକନ୍ଦିରେ ମାଁଙ୍କ ଘଟ ପୂଜା ପାଇଥିଲା ଓ ଘଟ ପରିକ୍ରମା ବେଳେ ଭକ୍ତଙ୍କ ପ୍ରବଳ ଜନସମାଗମ ହୋଇଥାଏ | ଏନେଇ ରାୟଗଡ଼ ସାରା ପୁରା ଉତ୍ସବ ମୁଖର ହୋଇପଡ଼ିଛି। ଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କମିଟିର ସଭାପତି ଚିତ୍ରସେନ ଲେଙ୍କା କହିଛନ୍ତି ଶାନ୍ତି ଶୃଙ୍ଖଳାର ସହ ଉତ୍ସବର ସମାପନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି.


