ଆଉ ୩ କୋଟି ଦେଲେ ଅକ୍ଷୟ କୁମାର, ଆଗରୁ ଦେଇଥିଲେ ୨୫ କୋଟି
ମୁମ୍ବାଇ : କରୋନାର ମୁକାବିଲା ପାଇଁ ସିନେ ତାରକାମାନେ ସହାୟତାର ହାତ ବଢ଼ାଇଛନ୍ତି । ତେବେ ଏକ୍ଷେତ୍ରରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ନିକଟରେ ପିଏମ କେୟାରସ ଫଣ୍ଡକୁ ୨୫ କୋଟି ଟଙ୍କା ଦେଇଥିବା ଅକ୍ଷୟ କୁମାର ଆଉ ୩ କୋଟି ଟଙ୍କା ସହାୟତା ଦେଇଛନ୍ତି । ବମ୍ବେ ମହାନଗର ନିଗମକୁ ସେ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । କରୋନାର ମୁକାବିଲା ପାଇଁ ପିପିଇ, ମାସ୍କ ଓ ରାପିଡ଼ ଟେଷ୍ଟିଂ କିଟ କିଣିବାକୁ ସେ ଏହି ଅର୍ଥ ଦେଇଛନ୍ତି । ସମ୍ପ୍ରତି ମହାରାଷ୍ଟ୍ର କରୋନା ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ହିଁ ଦେଖିବାକୁ ମିଳିଛି । ଏପରିକି ବସ୍ତିକୁ କରୋନା ସଂକ୍ରମିତ ହୋଇଥିବାରୁ ସ୍ଥିତି ଉଦବେଗଜନକ ରହିଛି । ଅକ୍ଷୟ କୁମାର କରୋନା ମୁକାବିଲା ପାଇଁ କେବଳ ୨୮ କୋଟି ଟଙ୍କା ଦାନ କରିଛନ୍ତି ତାହା ନୁହେଁ ବରଂ ଭିଡ଼ିଓ ଦ୍ୱାରା ବ୍ୟାପକ ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି ।