ଆକାଂକ୍ଷା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଦୈନିକ ବଜାର ଛକ ଠାରେ ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ପୋଲିସ ପ୍ରଶାସନ ଏବଂ ଜିଲା ସ୍ୱାସ୍ଥ୍ୟ ସମିତିର ସହଯୋଗରେ କରୋନା ଭାଇରସକୁ ନିୟନ୍ତ୍ରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ବଜାର ଛକଠାରୁ ଆରମ୍ଭ କରି ପରିବା ବଜାର ବିଭିନ୍ନ ଦୋକାନ ଗୁଡିକରେ ଭିଡ ଜମାଇଥିବା ଜନ ସାଧାରଣ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସଚେତନ କରାଯାଇଥିଲା । ମୁଖ୍ୟତଃ ବିନା କାରଣରେ ଗହଳି ନଜମାଇବାକୁ ପରାମର୍ଶ ଦିଆଯାଇଥିଲା । କରୋନା ଭଳି ଏକ ମହାମାରୀ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇଥିବାବେଳେ ଭାରତରେ ମଧ୍ୟ ଏହା କାୟା ବିସ୍ତାର କିଛି ପରିମାଣରେ କରିଛି । ଏହି ମହାମାରୀକୁ ଭୟନକରି ତା ସହିତ ଲଢେଇ କରିବାକୁ ହେଲେ ବିଭିନ୍ନ ପ୍ରତିଶେଧକ ବ୍ୟବସ୍ଥା ସାଧାରଣ ଲୋକେ ଆପଣାଇବା ଆବଶ୍ୟକ ବୋଲି ସେମାନେ କହିଥିଲେ । ମୁଖ୍ୟତଃ ବାରମ୍ବାର ନିଜର ଦୁଇହାତକୁ ଭଲଭାବେ ପରିସ୍କାର କରିବା, ହାତକୁ ମୁଁହ ଠାରୁ ଦୂରେଇ ରଖିବା, କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁରେ ଟିସ୍ୟୁ ପେପର ବ୍ୟବହାର କରିବା ଆବଶ୍ୟକ ବୋଲି ଜନସାଧାରଣ ମାନଙ୍କୁ ମହିଳା ସଂଗଠନର କର୍ମୀମାନେ ବୁଝାଇବା ସହ ସଚେତନ କରିଥିଲେ । ସେହିପରି ଯେ କୌଣସି ସ୍ଥାନରେ ଜଣେ ଅନ୍ୟଜଣଙ୍କ ଠାରୁ ଯେତେ ସମ୍ଭବ ଅଧିକ ବ୍ୟବଧାନରେ ରହି କଥାବାର୍ତ୍ତା କିମ୍ବା କିଣାବିକା କରିବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା ଏବଂ ସମସ୍ତ ଦୋକାନୀ ମାନେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ନିଜ ଦୋକାନରେ ଆବଶ୍ୟକ ଠାରୁ ଅଧିକା ଗହଳି ନ ଜମାଇବାପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁ, ସମ୍ପାଦିକା ମୀନା କୁମାରୀ ଟହଲ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମୀମାନେ ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତଥିଲେ ।