ଆକାଂକ୍ଷା ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ସାକ୍ଷରତା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ପାରଳାଖେମୁଣ୍ଡି ସହରରେ ଆକାଂକ୍ଷା,ପ୍ରଗତି, ସଖୀ ୱାନ ଓ ପୂଜ୍ୟପୂଜା ମହିଳା ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯାଇଛି । ପାରଳା ସହର ଉପକଣ୍ଠସ୍ଥ ଡାକ୍ତର ବାଞ୍ଜିରୀ ଗ୍ରାମରେ ‘ଆକାଂକ୍ଷା’ ମହିଳା ସଂଗଠନ ଓ ‘ସଖୀ ୱାନ ଷ୍ଟପ ସେଣ୍ଟର’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ସଚେତନତା ର୍ୟାଲି ଗ୍ରାମ ପରିକ୍ରମା କରିବା ପରେ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମୀନା କୁମାରୀ ଟହଲ, ଉପଦେଷ୍ଟା ସ୍ୱର୍ଣ୍ଣପ୍ରଭା ପାଠୀ ଏବଂ ‘ସଖୀ ୱାନ ଷ୍ଟପ ସେଣ୍ଟର’ର ପ୍ରଶାସିକା ଭାଗ୍ୟଲକ୍ଷ୍ମୀ ନାୟକ, ମମତା ପାଢୀ, ସୁନିତା ବେହେରା, ଅନିତା ମିଶ୍ର, ଉଷାରାଣୀ ମିଶ୍ର ପ୍ରମୁଖ ଯୋଗଦେଇ ଆଜିର ସାକ୍ଷରାତା ଦିବସର ଗୁରୁତ୍ୱ ଓ ଶିକ୍ଷାର ଆବଶ୍ୟକତା ବିଷୟରେ ବୁଝାଇବା ସହର ନାରୀ ନିର୍ଯ୍ୟାତନା ବିଷୟରେ ଓ ‘ସଖୀ ୱାନ ଷ୍ଟପ ସେଣ୍ଟର’ର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଉକ୍ତ ସଭାରେ ଉପସ୍ଥିତ ସମସ୍ତ ମହିଳାଙ୍କୁ “ବର୍ଣ୍ଣବୋଧ” ବହି, ମାସ୍କ ଆଦି ବିତରଣ କରାଯାଇଥିଲା । ସେହିପରି “ପ୍ରଗତି ମହିଳା ସଂଗଠନ” ଏବଂ “ପୂଜ୍ୟପୂଜା ସଂସଦ”ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରସିକ ରାଜ ମହାପ୍ରଭୁ ମନ୍ଦିର ପରିସରର ଆପନ୍ନାପରିଛା ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିକ୍ଷା ସଚେତନତା କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଭାଗବତ ପାଢୀ, ପ୍ରଧାନଶିକ୍ଷକ ପ୍ରମୋଦ ଚନ୍ଦ୍ର ପାଢୀ, ସେବାନିବୃତ ପ୍ରଧାନଶିକ୍ଷକ ଲିଙ୍ଗରାଜ ଦାଶ, ପ୍ରଧାନଶିକ୍ଷୟତ୍ରୀ ନର୍ମଦା ଦାସ, ମାନସୀ ପଣ୍ଡା ପ୍ରମୁଖ ଯୋଗ ଦେଇ ସାକ୍ଷରତା ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପ୍ରତି ସମାଜରେ ନିରକ୍ଷରତା କମ ହାରରେ ଥିଲେ ବି ସାକ୍ଷରତା ହାର ଆଶାନୁରୂପ ସଫଳତା ହୋଇପାରିନି । ଯୁଦ୍ଧକାଳୀନ ଭିତିରେ ସମାଜର ସବୁ ବର୍ଗର ଲୋକ ସାକ୍ଷରତା ବୃଦ୍ଧି ନିମନ୍ତେ ଅକୁଣ୍ଠ ସହଯୋଗ ଏବଂ ନିଃସର୍ତ୍ତ ସେବା ଅବ୍ୟାହତ ରଖିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।


