ଆକାଂକ୍ଷି ବ୍ଲକରେ ଉନ୍ନୟନ କାର୍ଯ୍ୟରେ ବାଧାପ୍ରାପ୍ତ
ନୂଆପଡ଼ା, (ଡୋଲେଶ୍ବର ବାଗ):ବିକାଶ ଆଣିବାକୁ ଯୋଜନା ତିଆରି କରି କାର୍ଯ୍ୟ କରୁଥିବା ସରକାର ବେଳେ ବେଳେ ବିଫଳତାର ଛାଇକୁ ଦେଖିବା ଭୁଲି ଯାଆନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଦ୍ରୁତ ବିକାଶ କାର୍ଯ୍ୟ ସହ ତାରତମ୍ୟ ହ୍ରାସ ପାଇଁ ନିତି ଆୟୋଗ ଦ୍ବାରା ନୂଆପଡା ଜିଲ୍ଳାର ବୋଡ଼େନ ବ୍ଲକକୁ ଆକାଂକ୍ଷି ବ୍ଲକ ଭାବରେ ଚିହ୍ନଟ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି, ଆକାଂକ୍ଷି ବ୍ଲକ କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅନେକ କାର୍ଯ୍ୟଗୁଡ଼ିକ ଧାର୍ଯ୍ୟ ହୋଇଅଛି, ଯଥା ଆବାସ ଗୃହ ନିର୍ମାଣ, ଗ୍ରାମ୍ୟ ପରିମଳ, ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ, ଅଙ୍ଗନୱାଡି ଓ ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପ୍ରଦାନ, ଉନ୍ନତ ପୋଷଣ, କୃଷି କ୍ଷେତ୍ରରେ ଓ ପ୍ରାଣୀ ସମ୍ପଦର ଉନ୍ନତି, ଶିକ୍ଷାର ମାନ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ କାମକୁ ତ୍ୱରାନ୍ୱିତ କରି ଶତପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ନିଆଯାଇଛି ସତ ହେଲେ ତୃଣମୂଳ ସ୍ତରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ବ୍ଲକ ସହ ବିଭିନ୍ନ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଛି ତେଣୁ କାର୍ଯ୍ୟ କରିବା ସମୟରେ ଅତ୍ୟଧିକ ମାନସିକ ଚାପ ପଡିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସଠିକ ସମୟରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଚାପ ପଡୁଛି ।ସୂଚନା ଅନୁଯାୟୀ ବ୍ଲକରେ ବର୍ତ୍ତମାନ ସ୍ଥାୟୀ ବିଡିଓ, ଏବିଡ଼ିଓ, ଏଇଇ, ବିଏସଏସଓ, ୩ ପିଇଓ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବା ବେଳେ ବିଭିନ୍ନ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା ଶିକ୍ଷା ବିଭାଗରେ ଏବିଇଓ, ୫୨ ପ୍ରଧାନ ଶିକ୍ଷକ, ୧୨୫ ଶିକ୍ଷକ, ସ୍ବାସ୍ଥ୍ୟ ବିଭାଗରେ ସୁପରିଣ୍ଟେଣ୍ଡେଣ୍ଟ ସହ ୨୬ ଟି ଗୁରୁତ୍ୱପୂ୍ଣ୍ଣ ପଦବୀ, ପ୍ରାଣୀସମ୍ପଦ ବିଭାଗରେ ବିଭିଓ, ଏଭିଏଏସ, ଏଲଆଇ, କୃଷି ବିଭାଗରେ ଏଏଓ, ୯ ଟି ଭିଏଡବ୍ଲୁ, ଶିଶୁ ବିକାଶ ବିଭାଗରେ ୨ ମହିଳା ସୁପରଭାଇଯର ପଦବି ଖାଲି ପଡିଛି । ଯାହା ଦ୍ଵାରା ଆକାଂକ୍ଷି ବ୍ଲକ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଖାଲି ପଡ଼ିଥିବା ପଦବୀ ଗୁଡିକ ଶୀଘ୍ର ପୂରଣ କରିବାକୁ ଦାବି ହେଉଛି ।


