ଆକାଶଛୁଆଁ ଦରବୃଦ୍ଧି ଓ ଘରୋଇକରଣକୁ ନେଇ ଉଦବେଗ : ଗଣ ଆନ୍ଦୋଳନ ପାଇଁ ଜନଜାଗରଣ ସଭାରେ ଆହ୍ୱାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ସାମ୍ପ୍ରତିକ ସମାଜରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ରୋକିବା ଓ ଉତ୍କଟ ବେକାରୀ ସମସ୍ୟା ସମାଧାନରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ବାମପନ୍ଥୀ ଦଳ, ଧର୍ମନିରପେକ୍ଷ ତଥା ଗଣତନ୍ତ୍ରପ୍ରେମୀ ଜନଗଣଙ୍କ ପକ୍ଷରୁ ଦୃଢ଼ ସମାଲୋଚନା କରାଯାଇଛି । ଦେଶର ପ୍ରମୁଖ ସମସ୍ୟାଠାରୁ ଜନସାଧାରଣଙ୍କୁ ଦୂରେଇ ନେବା ପାଇଁ ଜାତି, ଧର୍ମ, ମନ୍ଦିର, ମସଜିଦକୁ ନେଇ ମୋଦି ସରକାର ରାଜନୀତି କରିବା ଫଳରେ ସାମ୍ପ୍ରଦାୟିକ ଏବଂ ସାମାଜିକ ସଦଭାବ ନଷ୍ଟ ହେଉଛି ବୋଲି ‘ଜନଜାଗରଣ ଅଭିଯାନ’ ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସମ୍ମୁଖରେ ଆୟୋଜିତ ଜନଜାଗରଣ କାର୍ଯ୍ୟକ୍ରମରେ ସିପିଆଇ ଓ ସିପିଏମ୍ ପ୍ରଭୃତି ବାମପନ୍ଥୀ ଦଳ ପକ୍ଷରୁ ଗୌରାଙ୍ଗ ପାଣିଗ୍ରାହୀ, ପ୍ରେମରଞ୍ଜନ ପାତ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ନାରୀନେତ୍ରୀ ବନ୍ଦନା ପାତ୍ର, ଗୋପୀନାଥ ଦାସ, ସିଆଇଟିୟୁ ନେତା ଶ୍ୟାମସୁନ୍ଦର ଜେନା, ରାଜକିଶୋର ଲେଙ୍କା, ପ୍ରଶାନ୍ତ ରାୟ ପ୍ରମୁଖ ଯୋଗଦେଇ କେନ୍ଦ୍ରର ମୋଦି ସରକାରଙ୍କ ୮ବର୍ଷର ବିଫଳତା ଓ ଜନ ଶୋଷଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଘରୋଇକରଣ ଜରିଆରେ ରାଷ୍ଟ୍ରାୟତ୍ତ ସମ୍ପତ୍ତିକୁ ପୁଞ୍ଜିପତିଙ୍କ ହାତକୁ ମୋଦି ସରକାର ଟେକି ଦେଇ ଚାଲିଛନ୍ତି ବୋଲି ସେମାନେ କହିଥିଲେ । ବିଶେଷ କରି ‘ଆପଣଙ୍କ ସବୋରେ ଭାରତୀୟ ରେଳ’ ଏବେ ଆଦାନୀ ଓ ଆମ୍ବାନି ରେଳକୁ ପରିବର୍ତ୍ତନ ହେବାରେ ଲାଗିଥିବା ବେଳେ ଏଲଆଇସି, ପ୍ରତିରକ୍ଷା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଘରୋଇକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ସେହିପରି ଶ୍ରମ ଆଇନ ସଂଶୋଧନ ନାମରେ ସରକାର ସାଧାରଣ ଶ୍ରମିକଙ୍କ ଅଧିକାର ସଙ୍କୁଚିତ କରିବା ଓ ଗଣତାନ୍ତ୍ରିକ ପ୍ରତିବାଦ ଉପରେ ଅଙ୍କୁଶ ଲଗାଇବା ଦେଶ ବିକାଶର କେଉଁ ପରିଭାଷା ବୋଲି ଜନଜାଗରଣ ସଭାରେ ସମସ୍ତେ ପ୍ରଶ୍ନ କରିଥିଲେ । ଅନୁରୂପ ଭାବେ ରାଜ୍ୟର ବିଜେଡ଼ି ସରକାରଙ୍କ ଶାସନ କାଳରେ ଦୁର୍ନୀତି ସୀମା ଟପିଛି । ତେବେ ଉଲେଖନୀୟ ବିଷୟ ହେଲା କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ସଂସଦରେ ବିଜେଡି କରିବା କେଉଁ ନ୍ୟାୟ ବୋଲି ସେମାନେ କହିଥିଲେ । ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀମାନଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଦୁର୍ବଳ କରି ଚାଲିଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ପୁଣି ଏକ ଗଣଆନ୍ଦୋଳନ ଆବଶ୍ୟକ ହୋଇପଡ଼ିଛି ।ଏହି ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବକ୍ତାମାନେ ଜନଜାଗରଣ ସଭାରେ ଆହ୍ୱାନ ଦେଇଥିଲେ । ସନ୍ଧ୍ୟାର ଝିପି ଝିପି ବର୍ଷା ଭଳି ପ୍ରତିକୂଳ ପାଗ ସତ୍ତ୍ୱେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସମେତ ବହୁ ଲୋକ ଏହି ଜାଗରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯତୀନ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ