ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା : ଘରେପଶି ଏକ ପରିବାରର ସଦସ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ରାଜକନିକା ଥାନା ପୋଲିସର ନିଷ୍କ୍ରୀୟତା ବିରୋଧରେ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଉଜାଙ୍ଗ ଗ୍ରାମର ସୂର୍ଗତ ପ୍ରହଲାଦ ନାୟକଙ୍କ ପୁତ୍ର ନିର୍ମଳ କୁମାର ନାୟକ ଅଭିଯୋଗ କରିଛନ୍ତି ଯେ ଗତ ୨୦୧୯ମସିହା ଡିସେମ୍ବରମାସ ୧୩ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ଥାନା ଅନ୍ତର୍ଗତ ହାବଳଗଣ୍ଡ ଗ୍ରାମର ସୁଶାନ୍ତ କୁମାର ଦାସଙ୍କ ସମେତ ୫ଜଣ ଓ କେତେକ ଅସାମାଜିକ ଯୁବକ ହଠାତ ତାଙ୍କ ଘରେ ପହଁଚି ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ କହିଲେ ତୁ ଦିଲ୍ଲିପ ଦାସ ସଙ୍ଗରେ ଲାଗୁଛୁ ସିଏ ଆମକୁ ପଠାଇଛି ଆଜି ଦେଖିବା କିଏ ତୋ ପିଠିରେ ପଡିବ । ଏହାକହି ସେମାନେ ନିର୍ମଳର ଘରଭିତରେ ପଶି ତାକୁ ଜୀବନରୁ ମାରିଦେବା ଉଦେଶ୍ୟରେ ତା’ର ତଂଟିକୁ ଚିପିଦେବା ସହିତ ତାକୁ ତଳେ ପକାଇ ତାଙ୍କ ଉପରେ ଚଢି ଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ନିର୍ମଳର ମା’ ଓ ଭଉଣୀ ତାକୁ ରକ୍ଷାକରିବାକୁ ଆଗେଇ ଆସିବାରୁ ସେମାନଙ୍କୁ ମଧ୍ୟ ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ସମ୍ପର୍କରେ ନିର୍ମଳ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜକନିକା ଥାନା ପୋଲିସ ତାଙ୍କ ଅଭିଯୋଗ ଉପରେ ଥାନା କେଶ ନମ୍ବର ୩୧୩ ତା ୧୬.୧୨.୨୦୧୯ରିଖରେ ଆଇ.ପି.ସି.ର ଦଫା ୩୪୧, ୩୨୩, ୨୯୪, ୩୫୪(ଖ), ୪୫୨, ୫୦୬, ୩୦୭ ଓ ୩୪ ଧାରାରେ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଘଟଣାର ୨ମାସରୁ ଅଧିକ ସମୟ ଅତିବାହିତ ହେବା ପରେବି ଗିରଫ କରୁନଥିବା ନିର୍ମଳ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁନଥିବାରୁ ସେମାନେ ପୁନର୍ବାର ନିର୍ମଳର ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ସେ ଅଭିଯୋଗ କରିବା ସହିତ ତା’ର ପରିବାରର ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ