ଆକ୍ରମଣ ମାମଲାରେ ବାପ ଗିରଫ, ପୁଅ ଫେରାର
ଦିଗପହଣ୍ଡି, (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମର ଶ୍ରୀହରି ସେଠୀଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଥାନା କେଶ ନଂ.୧୧୨/୨୦ ଦଫା – ୨୯୪/୩୨୪/୫୦୬/୩୪ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇଦିଆଯାଇଛି। ଘଟଣାରୁ ଜଣାପଡିଛି ଯେ, ଗତ ଗୁରୁବାର ସନ୍ଧ୍ୟା ସମୟରେ ଗ୍ରାମରେ ଦେଶୀମଦ ବିକ୍ରି କରୁଥିବା ଶ୍ରୀହରିଙ୍କ ଘରକୁ ଗ୍ରାମର ରାଜୀବ ରେଡ୍ଡୀ ମଦ ପାଇଁ ଯାଇଥିଲେ। ଶ୍ରୀହରି ମଦ ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶ୍ରୀହରିଙ୍କୁ ରାଜୀବ ଆକ୍ରମଣ ଉଦ୍ୟମ କରିବାରୁ ସେ ପାଟି କରିଥିଲେ।ବାପାଙ୍କ ପାଟି ଶୁଣି ପୁଅ ଜାଗିଲି ଘଟଣା ସ୍ଥଳକୁ ଦୋୖଡି ଆସିଥିଲେ।ରାଜୀବ ନିଶାସକ୍ତ ଅବସ୍ଥାରେ ଜାଗିଲିଙ୍କୁ ତଳେ ପକାଇ ମାଡ଼ି ବସିବାରୁ ପୁଅକୁ ଉଦ୍ଧାର କରିବାକୁ ଯାଇ ଶ୍ରୀ ହରି କାତିରେ ରାଜୀବଙ୍କୁ ଆକ୍ରମଣ କରିଥିଲେ। କାତି ଚୋଟରେ ରାଜୀବଙ୍କ ଡାହାଣ ହାତ ସମେତ ଶରୀର ର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଥିଲା।ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା।ଘଟଣା ଦିନଠାରୁ ଫେରାର ଥିବା ଶ୍ରୀହରି ଗ୍ରାମକୁ ଫେରିଥିବା ଖବର ପାଇ ରବିବାର ସକାଳେ ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ବଳଭଦ୍ର ଗଣ୍ଡ ସଦଳବଳେ ଶ୍ରୀହରି ଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। ଅପରପକ୍ଷରେ ରାଜୀବ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତରହିବା ସହ ତାଙ୍କ ନାଁ ରେ ଦିଗପହଣ୍ଡି ଥାନାରେ ଏକାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।