ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଙ୍ଗରୋଧରେ ପୋଲିସ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୋଲିସ ଏକ ଅପହରଣ ମାମଲାର ତଦନ୍ତ ବେଳେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗତ ରବିବାର ଠାରୁ ସଙ୍ଗରୋଧରେ ରହିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତ ତା-୨୨-୧୧-୨୦୧୯ ରିଖରେ ବନ୍ତ ଥାନା ଅଞ୍ଚଳର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅପହରଣ କରି ତାମିଲନାଡୁ ନେଇ ପଳାଇ ଯାଇଥିଲା । ଏନେଇ ଥାନାରେ ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଜାରି ରହିଥିଲା । ଏବେ ସେମାନେ ଗ୍ରାମକୁ ଫେରିଥିବା ନେଇ ପୋଲିସ ଖବର ପାଇଥିଲା । ତିହିଡି ସଙ୍ଗରୋଧ କେନ୍ଦ୍ରରୁ ପୋଲିସ ଅପହୃତା ଯୁବତୀଙ୍କୁ ଉଦ୍ଧାର କରି ୧୬୪ ପାଇଁ କୋର୍ଟରେ ହାଜର କରାଇଥିଲା । ଏହା ମଧ୍ୟରେ ସଂପୃକ୍ତ ଯୁବତୀଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ତାହା ପଜେଟିଭ୍ ବାହାରି ଥିଲା । ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖାଯାଇଛି । ଅପରପକ୍ଷେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଆଇଆଇସି ମିନା ବିନ୍ଧାଣୀଙ୍କ ସମେତ ଥାନା ଡ୍ରାଇଭର ଓ ୩ ଜଣ ଫୋର୍ସ ସଙ୍ଗରୋଧରେ ରହିଛନ୍ତି । ସେହିପରି ଥାନା ଅଫିସ ଭିତରକୁ କୌଣସି ବ୍ୟକ୍ତିଙ୍କୁ ନଛାଡିବା ପାଇଁ ଅଫିସ ଆଗରେ ବାଉଁଶ ବନ୍ଧା ଯାଇଛି ।


