ଆକ୍ରାନ୍ତ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ଭାରତ, ୨୪ ଘଣ୍ଟାରେ ୧୪୬୩

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁଜନିତ ମହାମାରୀକୁ ରୋକିବା ନିମନ୍ତେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଲକଡାଉନ୍ ଅବଧିକୁ ଆହୁରି ୧୯ ଦିନ ବଢ଼ାଇ ଦେଇଛନ୍ତି। ତେବେ ସଂଯୋଗବଶତଃ ଏହି ଦିନ ହିଁ ଦେଶରେ କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଛି। ଅର୍ଥାତ୍ ୨୪ ଘଣ୍ଟାରେ ଦେଶରେ ପ୍ରଥମ ଥର ପାଇଁ ୧୪୬୩ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଏହି ସଂଖ୍ୟା ୧୦ ହଜାର ୮୧୫ରେ ପହଞ୍ଚିଯାଇଛି। ଏମାନଙ୍କ ମଧ୍ୟରୁ ୯ ହଜାର ୨୭୨ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୧୧୯୦ ଜଣ ହସ୍ପିଟାଲରୁ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ ପରେ ଡିସଚାର୍ଜ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜଣ କୋରୋନା ସଂକ୍ରମିତ ମୃତ୍ୟୁବରଣ କରିବା ଫଳରେ ଏହି ସଂଖ୍ୟା ୩୫୩ରେ ପହଞ୍ଚିଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ସୂଚନା ଦେଇଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ବଜାୟ ରହିଛି। ଏଠାରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ୨୩୩୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧ ଜଣ ମୃତ୍ୟୁବରଣ କରିଛନ୍ତି। ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଯାଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିଚାଲିଛି। ଫଳରେ ଏଠାରେ ଅଦ୍ୟାବଧି ୨୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୫୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ୩ୟ ସ୍ଥାନରେ ତାମିଲନାଡ଼ୁ ରହିଥିବା ବେଳେ ଉକ୍ତ ରାଜ୍ୟରେ ୧୧୭୩ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହାଛଡ଼ା ୮୭୯ ଜଣ ଆକ୍ରାନ୍ତଙ୍କ ସହ ରାଜସ୍ଥାନ ଚତୁର୍ଥରେ ଓ ୭୩୦ ଜଣ ଆକ୍ରାନ୍ତଙ୍କ ସହ ମଧ୍ୟ ପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି। ମଧ୍ୟ ପ୍ରଦେଶରେ ୫୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଏହି ସଂଖ୍ୟାରେ ରାଜ୍ୟ ଦ୍ବିତୀୟରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ