ଆକ୍ସନ ମୁଡ଼ରେ ପୁଲିସ ପ୍ରଶାସନ : ଯାନବାହାନ ଯାଞ୍ଚ କଡ଼ାକଡ଼ି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ପ୍ରଭାବରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ନେଇ ସ୍ଥାନୀୟ ପୌର ପ୍ରଶାସନୂ ପକ୍ଷରୁ ଗତ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାର୍ଡ଼, ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ଓ ୩୬ ନଂ ରାଜ୍ୟ ରାଜପଥ ତରାତରିଣୀ ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧି ପର୍ଯ୍ୟନ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୫ଟି ଗ୍ରାମାପଂଚାୟତକୁ କେଂଟନମେଂଟ ଓ ୩ ପଂଚାୟତକୁ ବଫରଜୋନ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ବାଇକ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥାପି କିଛି ଅମାନିଆ ବିନା କାରରରେ ବାଇକ ଧରି ସହରସାରା ଚକ୍କର କାଟୁଥିବାର ନଜିର ରହିଛି । ଅମାନିଆଙ୍କୁ ସାବାଡ଼ କରିବା ଲକ୍ଷ୍ୟରେ ବୁଧବାର ହିଞ୍ଜିଳି ପୁଲିସ ଆକ୍ସନ ମୁଡ଼ରେ ବାହାରିଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ୫ଟି ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ନାକାବନ୍ଦୀ କରାଯିବା ସହ ଯାନବାହାନ ଯାଂଚକୁ କଡ଼ାକଡ଼ି କରାଯାଇଛି । କେବଳ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ବାଇକ ଚାଳକଙ୍କୁ ଥାନାରେ ଅଟକ ରଖାଯିବା ସହ ଜୋରିମାନା ଆଦାୟ କରାଯାଉଛି । ଲକଡ଼ାଉନ ଓ ସଟଡ଼ାଉନ ସମୟରେ ବାଇକରେ ଚଳାଚଳ ନକରିବା ପାଇଁ ଲିଖିତ ରାଜିନାମା ରଖାଯାଇ ଛଡ଼ାଯାଉଥିବାର ଦେଖିବାକୁ ମିଳିଛି । ଜୋରିମାନା ବାବଦରେ ପ୍ରାୟ ୨୭ ହଜାର ଟଙ୍କା ଆଦାୟ କରାଯାଇଥିବା ଥାନା ଆଇଆଇସି ଦାସଙ୍କ ସୁତ୍ରରୁ ପ୍ରକାଶ । ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଦାସଙ୍କ ନେତୃତ୍ୱରେ ପୋଳିସ ବାହୀନି ସ୍ଥାନୀୟ ପୌରାଂଚଳର ବ୍ଳକ ଛକ, ଖଣ୍ଡରା ଛକ, ବିଜୁ ପଟ୍ଟନାୟକ ଛକ, ହିଂଜିଳି କାଳୀ ମନ୍ଦିର ଛକରେ ରହି ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ଯାନବାହାନ ଯାଂଚ କରାଯିବା ସହ ଅତ୍ୟାବଶ୍ୟକ କାରଣ ଦର୍ଶାଇ ଯେଉଁ ମାନେ ବାଇକ କିମ୍ବା କାର ଯୋଗେ ଯାତାୟତ କରୁଛନ୍ତି ପୁଲିସ ସେମାନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଛି । ମୋଟର ସାଇକେଲ ଯୋଗେ କିଛି ଯୁବକ ବାହାରକୁ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ପୁଲିସ ପ୍ରଶାସନ ସେମାନଙ୍କୁ ଅଟକାଇବା ସହ ବାହାରକୁ ଯିବାର କାରଣ ପଚାରି ବୁଝିଥିଲା । ବହୁ ବ୍ୟକ୍ତି ମେଡ଼ିକାଲ ଯାଇଥିବା ବାହାନା କରୁଥିବାର ଦେଖିବାକୁ ମିଳିଥିଲା । ଜନସାଧାରଣଙ୍କୁ ବାରମ୍ବାର ଘରୁ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଜନସଚେତନା ଅଭାବରୁ ଲକ୍ଡ଼ାଉନ ଫିକା ପଡ଼ୁଥିବା ଦେଖିବାକେୁ ମିଳିଛି । ତେବେ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଫ୍ଲାଗମାର୍ଚ୍ଚ କରାଯିବା ସହ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଜନ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି ।


