ଆକ୍ସନ ମୁଡ଼୍‌ରେ ହିଞ୍ଜିଳିକାଟୁ ପୌର ପ୍ରଶାସନ ଅମାନିଆଙ୍କ ଠାରୁ ୨୦ ହଜାର ୨ ଶହ ଟଙ୍କା ତଣ୍ଡ ଆଦାୟ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରକୋପ ଏତେ ଘାତକ ସାବ୍ୟସ୍ତ ହୋଇଛି ଯେ, ଦିନକୁ ଦିନ ମୃତ୍ୟୁ ହାର ଏବଂ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପଂହଚିଛି । ସରକାରଙ୍କ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ଉଦ୍ୟମ ଜାରୀ ରହିଛି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଏଯାବତ୍ କୌଣସି ପ୍ରତିଷେଧମୂଳକ ଔଷଧ ବାହାରି ପାରିନଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା, ଘରୁ ବାହାରକୁ ବାହାରିବା ବେଳେ ମାସ୍କ ବ୍ୟବହାର କରିବା ଏବଂ ହାତକୁ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ଧୋଇବା ସକାଶେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ତଥାପି କିଛି ଅମାନଆ ଏହାକୁ ମାନିବାକୁ ନାରାଜ । ଅମାନିଆଙ୍କୁ ସାବାଡ଼ କରିବା ଲାଗି ସୋମବାର ସ୍ଥାନୀୟ ପୌର ପ୍ରଶାସନ ଆକ୍ସନ ମୁଡ଼ରେ ବାହାରିଛି । ସୋମବାର ଭୋର ସାଢେ ୪ଟାରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାଧାନରେ ପୌର କର୍ମଚାରୀ ପୌରାଂଚଳର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ମାସ୍କ ବ୍ୟବହାର ନକରି ବାହାରେ ବୁଲୁଥିବା ୮୬ ଜଣଙ୍କ ଠାରୁ ପ୍ରତ୍ୟେକ ୨ଶହ ଟଙ୍କା ହିସାବରେ ୧୭ ହଜାର ୨ଶହ ଓ ସାମାଜିକ ଦୂରତ୍ୱ ରକ୍ଷା ନକରି ବ୍ୟବସାୟ କରୁଥିବା ବଇଁଚବଣିଆ ଛକ ସ୍ଥିତ ଏକ କୀଟନାଶକ ଔଷଧ ଦୋକାନୀ ମାଲିକଙ୍କ ଠାରୁ ୧ହଜାର ଏବଂ ପୌରାଂଚଳର ବିଭିନ୍ନ ଛକ ରେ ଚାହା ବିକ୍ରି କରୁଥିବା ଅଭିଯୋଗରେ ୨ ଦୋକାନ ମାଲିକଙ୍କ ଠାରୁ ୨ ହଜାର ସର୍ବମୋଟ ୨୦ ହଜାର ୨ଶହ ଟଙ୍କା ଜୋରିମାନା ଆଦାୟ କରିଛି । ପୌର କର୍ମଚାରୀ କୌଳାଶ ସାବତ, ବିବେକାନନ୍ଦ ମହାପାତ୍ର, ଭାସ୍କର ସାହୁ, ଲାଲମୋହନ ସେଠି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ