ଆଖଣ୍ଡଳମଣିଙ୍କ ପୀଠରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଦୀର୍ଘ ୨ବର୍ଷ ପରେ ପୁଣି ଭକ୍ତଙ୍କ ଗହଣରେ ଶନିବାର ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ଯନ୍ତ ପୀଠଦେବୀଙ୍କ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ପୂଜା। ଏହି ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ମଣ୍ଡପରେ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ପୂଜା। ଏଥିପାଇଁ ଶନିବାର ଭୋର ଭୋର ମଣିବାବାଙ୍କ ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପରେ ମା ଜୟଦୁର୍ଗାଙ୍କ ପୂଜାମଣ୍ଡପରେ ଘଟସ୍ଥାପନ, ସହ ନୀତିକାନ୍ତି ଅନୁଯାୟୀ ମାଙ୍କ ନିକଟରେ ମଙ୍ଗଳ ଆଳତୀ, ହଳଦୀପଞ୍ଚାମୃତ ସ୍ନାନ, ଜଳାଭିଷେକ ନୀତି ସରିବା ପରେ ମାଙ୍କୁ ନବବସ୍ତ୍ର ସହ ସୁବର୍ଣ୍ଣ ଓ ରୋପ୍ଯ ଅଳଙ୍କାର ବିଭିନ୍ନ ଫୁଲ, ଚନ୍ଦନ ଆଦି ଲାଗି କରାଯାଇ ଗୌରୀ ବେଶରେ ସଜ୍ଜିତ କରାଯାଇଥିଲା। ପରେ ଘଟ ଉତ୍ତୋଳ ନିମନ୍ତେ ସେବାକାରୀଙ୍କ ପକ୍ଷରୁ ଶିବଗଙ୍ଗା ପୁଷ୍କରିଣୀରେ ପୂଜାର୍ଚ୍ଚନା କରାଯାଇ ଘଟକୁ ମାଙ୍କ ଆସ୍ଥାନରେ ସ୍ଥାପନ କରାଯିବା ପରେ ଚଣ୍ଡିପାଠ, ଷୋଡଶ ଉପଚାର ପୂଜା, ହୋମ , ନୀତି ଆଦି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଉଭୟ ମନ୍ଦିର ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଥିଲା। ଭକ୍ତମାନେ ଧାଡିରେ ଯାଇ ମଣିବାବାଙ୍କୁ ଦର୍ଶନ କରିବା ସହ ମାଙ୍କୁ ଦର୍ଶନ କରିଥିଲେ।