ଆଖଣ୍ଡଳମଣି ମନ୍ଦିର ଖୋଲିବା ନେଇ ଆଲୋଚନା କଟକଣା ମଧ୍ୟରେ ହେବ ଦିଅଁ ଦର୍ଶନ
ଆରଡି,(ଓାଇ.ଏନ.ଏସ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଦୀର୍ଘ ୯ ମାସ ଧରି ବନ୍ଦ ରହିଥିଲା । ଚଳିତ ମାସ ୨୮ ତାରିଖରେ ମନ୍ଦିର ଖୋଲିବା ନେଇ ଜିଲା ପ୍ରଶାସନ ସ୍ଥିର କରିଥିଲା । ଏହାକୁ କାର୍ଯ୍ୟକାରୀ କରିବା ନେଇ ଗୁରୁବାର ସଂଧ୍ୟାରେ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସହ ପରିଚାଳକ ସୁଧାକର ବିଶ୍ୱାଳ, ଆରଡି ସରପ ଂଚ ଅରବିନ୍ଦ ପାଢୀଙ୍କ ସମେତ ସେବାୟତ ମାନେ ଯୋଗ ଦେଇଥିଲେ । କଠୋର କଟକଣା ମଧ୍ୟରେ ମନ୍ଦିର ଖୋଲିବା କଥା ଆଲୋଚନା କରାଯାଇଥିଲା । ୨୮ ଓ ୨୯ ତାରିଖରେ ସେବାୟତଙ୍କ ପରିବାର ଏବଂ ସ୍ଥାନୀୟ ୪ ପ ଂଚାୟତ ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ଅଧିବାସୀ ୩୦ ଓ ୩୧ ତାରିଖରେ ନିଜର ପରିଚୟ ପତ୍ର ଦେଖାଇ ମନ୍ଦିରକୁ ଯାଇପାରିବେ ବୋଲି ସ୍ଥିର କରାଯାଇଥିଲା । ସେହିପରି ଜାନୁଆରୀ ୩ ତାରିଖ ଠାରୁ ସର୍ବସାଧାରଣରେ ମନ୍ଦିର ପ୍ରବେଶ ରହିବ । ମନ୍ଦିର ବାହାରେ ବ୍ୟାରିକେଟ ବ୍ୟବସ୍ଥା ହେବା ସହ ଭକ୍ତ ମାନେ ଧାଡିରେ ଆସି ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଦିବା ବାଧ୍ୟତାମୂଳକ ରହିବ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଦର୍ଶନାର୍ଥୀଙ୍କ ଥର୍ମାଲ ସ୍କାନିଂ କରିବା ସହ ସାନିଟାଇଜର ଲଗାଇବା ଉପରେ ଗୁରୁତ୍ୱ ଦେବେ । ଏଥିସହ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କର ମନ୍ଦିର ନିକଟରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ କୋଭିଡ ଟେଷ୍ଟ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଭକ୍ତ ମାନେ ମନ୍ଦିର ପରିସରରେ ଭିଡ ନଜମାଇବା ଫୁଲ, ଭୋଗ, ଦୀପ ନେଇ ମନ୍ଦିର ଯିବା ଉପରେ କଟକଣା ଜାରି କରାଯାଇଛି । ୧୪ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମନ୍ଦିର ଯାଇପାରିବେ ନାହିଁ ବୋଲି ସ୍ଥିର କରାଯାଇଥିଲା । ପୂର୍ବପରି ମନ୍ଦିର ପରିସରରେ ସଂକଳ୍ପ କାର୍ଯ୍ୟ ଓ ଚୂଲପକା କାର୍ଯୟ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ ।


