ଆଖିରୁ ଜାଣିହେବ ଲୋକଙ୍କ ମନର କଥା

ଲୋକଙ୍କ ସ୍ୱଭାବ ସମ୍ପର୍କରେ ଜାଣିବା ଲାଗି ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଅନେକ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି । ଗୋଟିଏ ଲୋକ ମନର ଭାବକୁ ଆଖିରୁ ପଢ଼ିହେବ । ଆଉ ଭାବରୁ ପଢ଼ିହୁଏ ମନର ଗତି । ସେହି ଭାବରୁ ହିଁ ରସର ଉତ୍ପତ୍ତି । ମଣିଷର ସମଗ୍ର ଭାବନା ବିଭିନ୍ନ ରସ ସୂତ୍ରରେ ବନ୍ଧା । ସେହି ରସଗୁଡିକ ସମ୍ପର୍କରେ ଠିକ ଠିକ ଜାଣିଗଲେ ପାଖରେ ଥିବା ଲୋକଟିର ମନକୁ ଆପଣ ପଢ଼ିପାରିବେ ବା ସେ କେଉଁ ସ୍ଥିତିରେ ରହିଛି ଜାଣିପାରିବେ । ଜଣଙ୍କ ମାନସିକ ଅବସ୍ଥାକୁ ଯଦି ଆପଣ ବୁଝିପାରିବେ ତାହା ହେଲେ ଅନେକ ସମସ୍ୟାର ସମାଧାନ ହୋଇଯାଇପାରିବ । ଆସନ୍ତୁ ଜାଣିବା ରସ କେତେ ପ୍ରକାରର ଓ କ’ଣ କ’ଣ । କିଛି ନାଟ୍ୟଶାସ୍ତ୍ରରେ ଏହି ରସକୁ ଆଠ ଭାଗରେ ବିଭକ୍ତ କରିଛନ୍ତି । ଭରତ ମୁନୀ ଓ ନନ୍ଦିକେଶ୍ୱର ଏହି ଆଠ ରସକୁ ସମର୍ଥନ କରିଛନ୍ତି । ମାତ୍ର ବାସୁକୀ, ଧର୍ମସୁରୀ, ଶଙ୍କର ପ୍ରଭୃତି ଶାସ୍ତ୍ରକାରଗଣ “ଶାସ୍ତ୍ରରସ’କୁ ଗୁରୁତ୍ୱ ଦେଇ ଏହାକୁ ନବରସର ଆଖ୍ୟା ଦେଇଛନ୍ତି । ମାତ୍ର ଆଉ କେତେକ କହନ୍ତି ଶୃଙ୍ଗାର, ରୌଦ୍ର, ବୀର ଓ ବିଭତ୍ସ ହେଉଛି ମୂଳ ରସ । ଏଥିରୁ ସୃଷ୍ଟି ହୋଇଛି ହାସ୍ୟ, କରୁଣ, ଅଦ୍ଭୁତ ଓ ଭୟାନକ । ଏହି ଆଖିର ଭାବକୁ ମୁଖ୍ୟତଃ ନବରସ କୁହାଯାଏ । ଯଥା- (୧)ଶୃଙ୍ଗାର,(୨)ବୀର,(୩)କରୁଣ,(୪)ରୌଦ୍ର,(୫)ହାସ୍ୟ(୬)ଭୟାନକ,(୭)ବୀଭତ୍ସ,(୮)ଅଦ୍ଭୁତ ଏବଂ (୯)ଶାନ୍ତ ।
(୧) ଶୃଙ୍ଗାର : ଏହା “ରତି’ ନାମକ ଏକ ସ୍ଥାୟୀ ଭାବରୁ ଉତ୍ପନ୍ନ । ଯାହା ଅତି ପବିତ୍ର ଓ ଶୁଦ୍ଧ । ଦେଖିବାକୁ ସୁନ୍ଦର । ଏହାକୁ ସମସ୍ତ ପ୍ରକାର ଶୃଙ୍ଗାର ରସ ସହିତ ତୁଳନା କରାଯାଏ । ବିଶେଷ କରି କାହା ପ୍ରତି ଯେତେବେଳେ ପ୍ରେମ ଆଉ ପ୍ରଣୟର ଇଚ୍ଛା ଜାଗ୍ରତ ହୁଏ ସେତେବେଳେ ଆଖିର ଭାବରେ ଯେଉଁ ପରିବର୍ତ୍ତନ ଆସେ ତାକୁ ଶୃଙ୍ଗାର ରସ ବୋଲି କୁହାଯାଏ ।
(୨) ବୀର : ଏହାର ସ୍ଥାୟୀ ଭାବ ହେଉଛି ଉତ୍ସାହ । ଏହା ସାଧାରଣତଃ ବୀରତ୍ୱକୁ ତଥା ସାହସିକତାକୁ ବୁଝାଇଥାଏ । ଏହା ଦ୍ୱାରା ଅନ୍ତର୍ନିହିତ ଶକ୍ତିକୁ ବଳଶାଳୀ ତଥା ଜାଗ୍ରତ କରାଇଥାଏ । ଏହା ମୁଖ୍ୟତଃ ବଳ, ବିକ୍ରମ, ଶକ୍ତି, ପ୍ରତାପ ଏବଂ ପ୍ରଭାବ ଆଦି ବିଭାବରୁ ଉତ୍ପନ୍ନ ହୋଇଛି ବୋଲି ମନେ କରାଯାଏ ।
(୩) କରୁଣ : ଏହାର ସ୍ଥାୟୀ ଭାବ ହେଉଛି “କରୁଣ’ । ଏହା ଦ୍ୱାରା ମନର ଦୁଃଖ ତଥା ମନର ବିରହ ବେଦନାକୁ ସୂଚାଇ ଦିଆଯାଇଥାଏ । ଆଖିର ଚାହାଣିରୁ ଜଣାପଡ଼ିଥାଏ ତାର ଶୋକର ପରିମାଣ କେତେ । ବିରହ, ଧନନାଶ, ବଧ, ବନ୍ଧନ, ଦୁଃଖ ଆଦି ଉଦ୍ଦୀପନା ବିଭାବରୁ ଏହା ଉତ୍ପନ୍ନ ହୋଇଛି ବୋଲି ଧରାଯାଏ ।
(୪) ରୌଦ୍ର : ଏହାର ସ୍ଥାୟୀ ଭାବ ହେଉଛି “କ୍ରୋଧ’ । ଏହାର ପ୍ରକୃତି ହେଉଛି ଉଦ୍ଧତ ପ୍ରକୃତି ବା ଦାନବ ପ୍ରକୃତି । ଉଗ୍ରକ୍ରିୟାତ୍ମକ ଭାବରୁ ଏହା ଉତ୍ପନ୍ନ ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତିର କ୍ରୋଧର ସୀମା କେତେ ଜଣାପଡ଼ିଥାଏ ।
(୫) ହାସ୍ୟ : ଏହାର ସ୍ଥାୟୀ ଭାବ ହେଉଛି “ହସ’ । ଏହାର ପ୍ରକୃତି ହେଉଛି ଆକର୍ଷଣ କରାଇବା । ଲଜ୍ଜାଶୂନ୍ୟତା, ବିକୃତ ବେଶ, ଚପଳତା, ଅସାଧୁତା ଭାଷଣ ଆଦି ବିଭାବରୁ ଏହାର ଉତ୍ପନ୍ନ ।
(୬) ଭୟାନକ : ଏହାର ସ୍ଥାୟୀ ଭାବ ହେଉଛି ‘ଭୟ’ । ଏହା ଏକ ପ୍ରକାର ରସ । ଚକ୍ଷୁର ଏହି ଭାବରୁ ନିଜର ଭୟର ମାଧ୍ୟମ ସୂଚାଯାଇଥାଏ । ବିକୃତ ଭାବ, ଅରଣ୍ୟ ପ୍ରବେଶ, ଆତ୍ମୀୟର ବଧ, ବନ୍ଧନର ଦର୍ଶନ ବା ଶ୍ରବଣ ଆଦି ବିଭାବରୁ ଏହାର ଉତ୍ପତ୍ତି ।
(୭) ବୀଭତ୍ସ : ଏହାର ସ୍ଥାୟୀ ଭାବ ହେଉଛି “ଘୃଣା’ । ଜଣେ ଅନ୍ୟ ଜଣକୁ କିପରି ଓ କେତେ ପରିମାଣରେ ଘୃଣା କରୁଛି ତାହା ହିଁ ତାର ଆଖିରୁ ଜଣା ପଡ଼ିଥାଏ । କଦାକାର, ଅପ୍ରିୟ ବସ୍ତୁର ଦର୍ଶନ, ଅବାଞ୍ଛିତ ଓ ଉଦ୍‌ବେଗଜନକ କଥା ବା ବସ୍ତୁର ଦର୍ଶନ, ଶ୍ରବଣ ଆଦି ବିଭାବରୁ ଏହାର ଉତ୍ପତ୍ତି ହୋଇଛି ।
(୮) ଅଦ୍ଭୁତ : ଏହାର ସ୍ଥାୟୀ ଭାବ ହେଉଛି “ବିସ୍ମୟ’ । ଅଲୌକିକ ଭାବରେ ଅତର୍କିତ ହେବା ଏହାର ଭାବ । ଏହା ଚକ୍ଷୁର ଏକ ପ୍ରକାର ଚାହାଣିରୁ ଜଣା ପଡ଼ିଥାଏ । ଅଲୌକିକ ପଦାର୍ଥର ଦର୍ଶନ,ଶ୍ରବଣ ଆଦି ବିଭାବରୁ ଏହାର ଉତ୍ପତ୍ତି ।
(୯) ଶାନ୍ତ : ଏହାର ସ୍ଥାୟୀ ଭାବ ହେଉଛି “ଶାନ୍ତ ବା ନମ୍ର’ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ତଥା ଭାବର ପ୍ରଦର୍ଶନ, ଦୟା-କ୍ଷମା, ର୍ନିବିକାର ଚିତ୍ତ ଆଦି ଏଥିରୁ ଜଣାପଡ଼ିଥାଏ । ତତ୍ତ୍ୱଜ୍ଞାନ, ବୈରାଗ୍ୟ, ସନ୍ନ୍ୟାସ, ଶୁଦ୍ଧ, ପବିତ୍ର ଆଦି ବିଭାବରୁ ଏହାର ଉତ୍ପତ୍ତି ।
ଏହି ନବରସର ପ୍ରକାଶ ମାଧ୍ୟମ ହେଉଛି ମଣିଷର ଆଖି । ସେଥିପାଇଁ କୁହାଯାଏ ଆଖି କହେ କଥା । ନବରସର ସଂଜ୍ଞାକୁ ପ୍ରୟୋଗ କରି କାହାର ଆଖି ପଢ଼ିବାକୁ ଉଦ୍ୟମ କଲେ ସେଥିରେ ସଫଳତା ନିଶ୍ଚିୟ ମିଳିବ ଆଉ ବହୁ ସମସ୍ୟା ଓ ବିବାଦର ସମାଧାନ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ