ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟିନେଲେ ଟଙ୍କା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଞ୍ଚଳରେ ୧୦ ଦିନ ମଧ୍ୟରେ ୨ ଲୁଟ ଘଟଣା ହୋଇଥିବା ଜଣାଯାଇଛି । ଗତ ଏପ୍ରିଲ ୨୮ରେ ଦିନଦ୍ୱିପ୍ରହରରେ ବନ୍ତ ବଜାରସ୍ଥିତ ଏକ ଔଷଧ ଦୋକାନ ଆଗରୁ ଜଣେ ଫାର୍ମାସୀ କଂପାନୀର କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଦୃବୁର୍ତ୍ତ ମାନେ ଲୁଟି ନେଇଥିଲେ । ଏହି ଲୁଟ ଘଟଣାରେ ଦୃବୁର୍ତ୍ତ ମାନଙ୍କୁ ପୋଲିସ ଧରି ପାରିନଥିବା ବେଳେ ପୁଣି ୯ଦିନ ପରେ ଆଉ ଏକ ଲୁଟ ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ରବିବାର ପଧାନପଡା-ଓଳମ ରାସ୍ତାର ନିମପଲ୍ଲୀ ଛକ ନିକଟରେ ଏଲ୍.ଏଣ୍ଡ.ଟି ଫାଇନାନ୍ସ କମ୍ପାନୀର ୨ ଜଣ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୩ ଜଣ ଦୁର୍ବୃତ୍ତ ୧ଲକ୍ଷ ୬୩ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ରବିବାର ରାତି ୯ଟା ବେଳେ ଏଲ୍.ଏଣ୍ଡ.ଟି ଫାଇନାନ୍ସ କମ୍ପାନୀ ବନ୍ତ ଶାଖାର ଶାଖା ପରିଚାଳକ ପ୍ରୀତମ ରଞ୍ଜନ ଦାସ ଓ ଅନ୍ୟ ଜଣେ କର୍ମଚାରୀ ବିଭିନ୍ନ ସ୍ଥାନରୁ ଋଣ କିସ୍ତି ଟଙ୍କା ଆଦାୟ କରି ପଧାନପଡା-ଓଳମ ରାସ୍ତାରେ ବନ୍ତ ଫେରୁଥିବା ବେଳେ ନିମପଲ୍ଲୀ ଛକ ନିକଟରେ ୩ ଜଣ ଦୃବୁର୍ତ୍ତ ଫାଇନାନ୍ସ କର୍ମଚାରୀଙ୍କ ବାଇକ ଆଗରେ ଛିଡା ହୋଇଯାଇଥିଲେ । କର୍ମଚାରୀ ମାନେ ବାଇକ ଅଟକାଇବାରୁ ଦୃବୁର୍ତ୍ତ ମାନେ ବାଇକକୁ ଧକ୍କା ଦେଇଥିଲେ । ଫଳରେ କର୍ମଚାରୀ ଦୁଇ ଜଣ ତଳେ ପଡି ଯାଇଥିଲେ । ପରେ ଦୃବୁର୍ତ୍ତ ମାନେ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ପାଖରେ ଥିବା ଟଙ୍କା ବ୍ୟାଗ୍କୁ ଛଡାଇ ନେଇ ପଳାଇ ଯାଇଥିଲେ । ଏସଂପର୍କରେ କର୍ମଚାରୀମାନେ ଖବର କରିବା ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରିଥିଲା । ସୋମବାର ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ପ୍ରୀତମ ରଞ୍ଜନ ଦାସ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୭୦/୨୩ରେ ମାମଲା ରୁଜ୍ଜୁ କରି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ସହାୟତାରେ ତଦନ୍ତ ଜାରି ରଖିଛି ।


