ଆଖି ପାଖ ତ୍ବଚାରେ କୁଞ୍ଚନ ଆଣେ କେତେକ ବଦଭ୍ୟାସ
ବୟସ ଯେତେ ବଢ଼ିଲେ ବି ପ୍ରତ୍ୟେକ ମହିଳା କମ୍ ବୟସର ଓ ସୁନ୍ଦର ଦେଖାଯିବାକୁ ଚାହାନ୍ତି। ତେବେ କେତେକ ମହିଳାଙ୍କ ଚେହେରା ଉପରେ ସମୟ ପୂର୍ବରୁ ବୟସ୍କ ଲକ୍ଷଣ ଦେଖାଯାଇଥାଏ। ବିଶେଷ କରି ଆଖିର ଆଖପାଖ ଚର୍ମରେ ଏହା ଦେଖିବାକୁ ମିଳିଥାଏ। ବାସ୍ତବରେ ଆଖି ଆଖପାଖ ତ୍ବଚା ବହୁତ ପତଳା ଓ ସମ୍ବେଦନଶୀଳ ହୋଇଥାଏ। ଯଦିଓ ସମସ୍ତେ ତ ଦିନେ ନା ଦିନେ ବୟସ୍କ ହେବ। କିନ୍ତୁ ସମୟ ପୂର୍ବରୁ ଏହାର ଲକ୍ଷଣ ଦେଖାଯିବାର କାରଣ ଆପଣଙ୍କ ଦ୍ବାରା କରାଯାଇଥିବା କେତେକ ଭୁଲ୍ ହୋଇପାରେ। ଏଠାରେ ଆପଣ କରୁଥିବା କେତେକ ଭୁଲ୍ ସମ୍ପର୍କରେ କୁହାଯାଇଛି, ଯାହା ଆପଣଙ୍କ ଆଖି ଆଖ ପାଖ ତ୍ବଚାକୁ ଢିଲା କରିବା ସହିତ ଫାଇନ୍ ଲାଇନ୍ସ ଓ ରିଙ୍କଲ୍ସ ହେବାର କାରଣ ହୋଇପାରେ।
ଆଖିକୁ ବାରମ୍ବାର ମଳିବା : ଆଖି ଆଖ ପାଖ ତ୍ବଚା ସବୁଠାରୁ ପତଳା ଓ ସମ୍ବେଦନଶୀଳ ହୋଇଥାଏ। ଏପରିସ୍ଥଳେ ଏହାକୁ ବାରମ୍ବାର ମଳିବା କିମ୍ବା ରଗଡ଼ିବା ଦ୍ବାରା ତ୍ବଚା ଢିଲା ହେବାରେ ଲାଗେ। ଏହି କାରଣରୁ ରିଙ୍କଲ୍ସ ଓ ଫାଇନ୍ ଲାଇନ୍ସ ଦେଖାଯିବାରେ ଲାଗେ। ଏହାବ୍ୟତୀତ ମୁହଁ ଓ ନାକ ଭଳି ଆଖି ଦ୍ବାରା ମଧ୍ୟ ଶରୀରକୁ ଭାଇରସ ଓ ବ୍ୟାକ୍ଟେରିଆ ସହଜରେ ପ୍ରବେଶ କରିପାରେ। ତେଣୁ ଆଖିକୁ ବାରମ୍ବାର ମଳିବା ଉଚିତ ନୁହେଁ।
ଠିକ୍ ମେକ୍ଅପ୍ ଚୟନ ନ କରିବା : ତ୍ବଚା ଅନୁସାରେ ଉପଯୁକ୍ତ ପ୍ରସାଧାନ ସାମଗ୍ରୀ ବ୍ୟବହାର ନ କରିବା ଫଳରେ ମଧ୍ୟ ତ୍ବଚା ଢିଲା ପଡ଼ିବା ସମସ୍ୟା ହୋଇଥାଏ। ଆଖିର ଆଖପାଖ ତ୍ବଚା ସମ୍ବେଦନଶୀଳ ହୋଇ ଥିବାରୁ କେମିକାଲଯୁକ୍ତ ପ୍ରଡକ୍ଟ ର ପ୍ରଭାବ ଏହା ଉପରେ ଗଭୀର ଭାବେ ପଡ଼ିଥାଏ। ତେଣୁ ଏଭଳି ଜିନିଷ ଆଖି ଆଖପାଖରେ ବ୍ୟବହାର କରିବାଠାରୁ ଦୂରେଇ ରହନ୍ତୁ। ନଚେତ ଅସମୟରେ ଆଖି ପାଖରେ ବୟସ୍କ ଲକ୍ଷଣ ଦେଖାଯିବାରେ ଲାଗି। ତେଣୁ ଆଖି ଓ ଚେହେରା ପାଇଁ ପ୍ରାକୃତିକ ଓ ଅର୍ଗାନିକ୍ ପ୍ରଡକ୍ଟ ବ୍ୟବହାର କରନ୍ତୁ।
ମଏଶ୍ଚରାଇଜର ନ ଲଗାଇବା : ତ୍ବଚାକୁ ସମ୍ପୂର୍ଣ୍ଣ ଭାବେ ପୋଷଣ ଓ ମଏଶ୍ଚରାଇଜର ନ ମିଳିବା କାରଣରୁ ରିଙ୍କଲ୍ସ, ଫାଇନ୍ ଲାଇନ୍ସ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ଏହା ତ୍ବଚାକୁ ଢିଲା କରିବାର ମୁଖ୍ୟ କାରଣ ହୋଇଥାଏ। ଏହି ସମସ୍ୟାରୁ ବଞ୍ଚିବା ପାଇଁ ଦିନରେ ୨ରୁ ୩ଥର ଚେହେରା ଓ ଶରୀରର ବାକି ଖୋଲା ଅଂଶକୁ ମଏଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁନି। ଏହା ଆପଣଙ୍କ ତ୍ବଚାକୁ ପ୍ରାକୃତିକ ଭାବେ ମଏଶ୍ଚରାଇଜ କରିବା ସହିତ ତ୍ବଚା ହାଇଡ୍ରେଟ୍ ରଖିଥାଏ। ଆପଣଙ୍କ ଆଖିର ଆଖପାଖ ହାଇଡ୍ରେଟ୍ କରିବା ପାଇଁ ସ୍ପେସାଲ ଆଇ କ୍ରୀମ୍ ବ୍ୟବହାର କରିପାରିବେ। ଏହା କିଣିବାବେଳେ ଧ୍ୟାନରେ ରଖନ୍ତୁ ଏଥିରେ ଭିଟାମିନ୍ ବି, କେ, ସି ଓ ହାଇଡ୍ରୋଲିକ୍ ଏସିଡ୍ ରହିଥିବା ଦରକାର।
ଫଳ ଓ ପନିପରିବା ସେବନ ନ କରିବା : ସ୍ବାସ୍ଥ୍ୟ ଓ ଚର୍ମକୁ ସୁନ୍ଦର ଓ ଯବାନ ରଖିବା ଲାଗି ଆବଶ୍ୟକ ଉତ୍ତମ ଡାଏଟ୍ ସେବନ କରିବା। ଏପରିସ୍ଥଳେ ଯଦି ଆପଣ କେବଳ ପ୍ରସାଧାନ ସମାଗ୍ରୀ ବ୍ୟବହାର କରି ନିଜକୁ ସୁନ୍ଦର ରଖିବାକୁ ଚାହୁଛନ୍ତି, ତେବେ ଆପଣ ଭୁଲ୍ ଧାରଣା ଭିତରେ ଅଛନ୍ତି। ଅଧିକ କେମିକାଲଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ଫଳରେ ତ୍ବଚା ଶୀଘ୍ର ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇବା ପାଇଁ ପୃଷ୍ଟିକର ଖାଦ୍ୟ ସେବନ କରିବା ଉଚିତ। ଜଙ୍କ ଫୁଡ୍ ଅଭ୍ୟାସ ଛାଡ଼ି ଡାଏଟ୍ରେ ଅଧିକ ମାତ୍ରାରେ ଫଳ ଓ ପନିପରିବା ସାମିଲ୍ କରନ୍ତୁ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍, ଫାଇବର, ମିନେରାଲ୍ସ ଓ ଅନେକ ମାତ୍ରାରେ ପୋଷକତତ୍ତ୍ବ ରହିଛି। ଯାହା ଡେଡ୍ ସ୍କିନ୍ ହଟାଇ ନୂଆ ସ୍କିନ୍ ସେଲ୍ସ ତିଆରି କରିବାରେ ସାହାଯ୍ୟ କରେ। ଏହା ଢିଲା ପଡ଼ି ଯାଇଥିବା ସ୍କିନ୍କୁ ଟାଇଟ୍ କରିବା ସହିତ ଚେହେରାର ଗ୍ଲୋ ଅକ୍ଷୁଣ୍ଣ ରଖେ। ଏଥସହିତ ଏହା ଟିସ୍ୟୁକୁ ମରାମତି କରିବା ଓ ତ୍ବଚାକୁ ଫ୍ରି ରେଡିକଲ୍ସରୁ ବଞ୍ଚାଇବା ଲାଗି ଲାଭଦାୟକ ହୋଇଥାଏ।
ସନ୍ସ୍କ୍ରିନ୍ ବ୍ୟବହାର ନ କରିବା : ସୂର୍ଯ୍ୟ କିରଣରେ ଥିବା ଅତିବାଇଗଣୀ ରଶ୍ମୀ ଚେହେରାରେ ପଡ଼ିଥାଏ, ଏହାର ପ୍ରଭାବ ସର୍ବପ୍ରଥମେ ଆଖି ଉପରେ ପଡ଼ିଥାଏ। ଏହା ଆଖି ଆଖପାଖର ତ୍ବଚାକୁ ଖରାପ କରିଥାଏ। ଏହି କିରଣ ତ୍ବଚାକୁ ଭିତରକୁ ଟାଣି ନେଇଥାଏ। ଯାହାଫଳରେ ପୋଡ଼ିବା ସମସ୍ୟା ମଧ୍ୟ ହୋଇଥାଏ। ଏପରିସ୍ଥଳେ ଖରାଦିନ ହେଉ ବା ଶୀତଦିନ ଘରଚ ବାହାରକୁ ଗଲାବେଳେ ୩୦ ମିନିଟ୍ ପୂର୍ବରୁ ୧୫-୨୦ ଏସ୍ପିଏଫ୍ର ସନସ୍କ୍ରିନ୍ ଲୋସନ ନିହାତି ଲଗାନ୍ତୁ। ଏହାବ୍ୟତୀତ ଅଧିକ ଖରା ହେଉଥିଲେ ଚେହେରାକୁ ଭଲ ଭାବେ ଘୋଡ଼ାଇ ସନ୍ଗ୍ଲାସ୍ ପିନ୍ଧି ବାହାରକୁ ବାହାରନ୍ତୁ।


