ଆଖି ଭିତର ଲୁହ
ନିଛାଟିଆ ରାତିର ନୀରବ ପ୍ରଶ୍ନ ଗୁଡିକ ମନକୁ ଆନ୍ଦୋଳିତ କରେ ସମସ୍ତଙ୍କ କଥା ବୁଝୁ ବୁଝୁ ନିଜ କଥା ସବୁ ସ୍ତବ୍ଧ ହୋଇଯାଏ | ଅନେକ ଦିନର ଦୁଃଖ ଭିତରେ ଏ ମଣିଷ ମିଛି ମିଛି ତ ହସିଦିଏ କିନ୍ତୁ ଯେତେବେଳେ ଏ ଆଖିରୁ ଲୁହ ଝରେ ସେତେବେଳେ ଏ ଆଖିର ଲୁହ ଥମିବାର ନାଁ ନିଏନି | କେତେବେଳେ ନିଜ ଆଖିର ଲୁହକୁ ନିଜ ଆଖି ତଳେ ଲୁଚେଇବାପାଇଁ ନିଜ ଆଖି ଉପରେ ହାତ ରଖି ନିଜ ଆଖିକୁ ମକଚି ଦିଏ ତ ଆଉ କେତେବେଳେ ପାଣିର ଛିଟାରେ ନିଜ ଆଖିକୁ ଭିଜାଇ ନିଜେ ନିଜେ ନିଜ ଆଖିର ଲୁହକୁ ତାଗିଦ କରୁଥାଏ | ପୁଣି ମନେ ମନେ କହୁଥାଏ ସତରେ କଣ ଏ ଆଖିର ଲୁହ ମୋ ବୋଲ ମାନିବ ନା ମୋ ପୁରୁଣା ଖୁସିକୁ ଟିକେ ଫେରେଇ ପାରିବ |ତେବେ ଏ ଆଖିରେ ଲୁହ ସେତେବେଳେ ଆସେ ଯେତେବେଳେ ଆମକୁ ଆମ ଆପଣାର ଲୋକଟା ଚିହ୍ନି ପାରେନି | ହୃଦୟର କଥା ବୁଝିବା ଆଗରୁ ହୃଦୟର କଥା ସେ ବିଲକୁଲ ଶୁଣେନି | କେତେବେଳେ ନିଜ ସ୍ୱପ୍ନ କନ୍ଦାଏ ଆଉ କେତେବେଳେ ନିଜ ଆପଣାର କନ୍ଦାନ୍ତି | ଏହି କାନ୍ଦିବା ଭିତରେ ବିଚରା ହୃଦୟ ସ୍ତବ୍ଧ ହୋଇ ନିଜକୁ ଦୋଷୀ ସଜେଇ ଦିଏ | ଆଉ ଏ ଆଖି ପୁରା ନିର୍ଲଜ ହୋଇଯାଏ ସ୍ଥାନ, କାଳ, ପାତ୍ର କିଛି ମାନେନି ସେଥିପାଇଁ ସେ କେତେବେଳେ କାହା ସାମ୍ନାରେ କାନ୍ଦେ ତ ଆଉ କେତେବେଳେ ନିଜକୁ ବନ୍ଦ କୋଠରୀ ଭିତରେ ରଖି ନିଜକୁ ଧିକାର ଦେଇ କାନ୍ଦିବାକୁ ଲାଗିଥାଏ | କେହି କେହି କୁହନ୍ତି କାନ୍ଦିବା ହେଉଛି ଗୋଟେ ଦୁର୍ବଳତା ତେଣୁ ଯେତେ ଦୁଃଖ ଆସିଲେ ବି କେହି କେବେ କାନ୍ଦିବା ଠିକ ନୁହେଁ | ଯଦି ତମେ କାନ୍ଦିଦେଲ ତେବେ ତମେ ସେଇଠି ହାରିଗଲ ହେଲେ ଏଠି ମନକୁ ପ୍ରଶ୍ନ ଆସେ ଲୁହ କାହିଁକି ଝରେ ଯଦି ମଣିଷକୁ ଦୁର୍ବଳ ସଜେଇ ଦିଏ | ଆଖିର ଧର୍ମ ଟିକେ ଆଘାତ ପାଇଲେ କିମ୍ବା ଟିକେ ଖୁସି ହୋଇଗଲେ ଏ ଲୁହ ଆଖିର ସାଥ ଦେବ କାହିଁକି ନା ବେଳେବେଳେ ଏ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥାଏ ଆଉ କେତେବେଳେ ଦୁଃଖର ଲୁହ | ତେବେ ଏହି ଲୁହ ଯେମିତି ଆସୁଛି ଆସୁ କିନ୍ତୁ ଆଖିରୁ ଲୁହ ଝରିଗଲା ପରେ ଗୋଟେ ଅସଜଡ଼ା ମଣିଷକୁ ସଜେଇ ଦେଉଛି ୟା ଠାରୁ କିଛି ବଡ଼ କଥା ନୁହେଁ | ଆଖିରେ ଲୁହ ଆସିଲେ ହିଁ ଆମକୁ ଅନୁଭବ ହୁଏ ଆମେ କାହିଁକି ଦୁଃଖୀ ଥିଲେ କଣ ପାଇଁ ଆମ ମନ ନିରବୀ ଯାଉଥିଲା | ସତ କହିବାକୁ ଗଲେ ଏହି ଆଖିର ଲୁହ ଅନେକ ପ୍ରଶ୍ନର ଉତ୍ତର ମନକୁ ଦେଇଥାଏ ସେଥିପାଇଁ ଏ ମନ ନିଜ ଆଖିର ଲୁହକୁ ଦୂରେଇ ନିଜ ଧର୍ଯ୍ୟକୁ ସାଥି କରି ଅନେକ ସଫଳତା ପାଇଥାଏ | କେତେବେଳେ ହଜିଯାଇଥିବା ସମ୍ପର୍କକୁ ଖୋଜି ପାଇଥାଏ ତ ଆଉ କେତେବେଳେ ନିଜ ସ୍ୱପ୍ନକୁ ପୂରଣ କରିଥାଏ | ଯଦି ନିଜ ଉପରେ ବିଶ୍ୱାସ ଥାଏ ତେବେ ତମକୁ କେହିବି କୌଣସି ଜାଗାରେ ହରେଇ ପାରିବେନି କାହିଁକି ନା ଆମ ବିଶ୍ୱାସ ହିଁ ଆମ ସଫଳତାର ଚାବିକାଠି | ଆଉ ଯଦି ଏ ଆଖିରୁ ଲୁହ ଝରିବନି ତେବେ କେମିତି ଏ ମଣିଷ ବୁଝିବ ସଫଳତା ପାଇବାକୁ ହେଲେ ଏଠି କେମିତି କାନ୍ଦିବାକୁ ପଡେ | କାନ୍ଦ ବୋବାଅ ଯାହା କର କିନ୍ତୁ ନିଜ ଲକ୍ଷସ୍ଥଳରୁ କେବେବି ହଟନି କାହିଁକି ଯଦି ତମେ ନିଜ ଲକ୍ଷସ୍ଥଳରୁ ଥରେ ହଟିଗଲ ତେବେ ତମକୁ ଏମିତି ହିଁ କାନ୍ଦିବାକୁ ପଡିବ | ସତ କହିବାକୁ ଗଲେ ଏହି ଆଖିର ଲୁହ ଅନେକ ଶିକ୍ଷା ଦେଇଥାଏ କିନ୍ତୁ ସମୟ କ୍ରମରେ ସେ ମଧ୍ୟ ନିରାଶ ହୋଇ ତମକୁ ତମର ସେହି ପୁରୁଣା ହସ ଫେରେଇ ଦେଇଥାଏ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର


