ଆଗକୁ ଆସୁଛି ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା ମୟୁରପୁଚ୍ଛ ସାଙ୍ଗକୁ ବାନା ବେପାର ଜୋର ଧରିଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚଳିତ ମାସ ୨୫ ତାରିଖ ଠାରୁ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ଯାତ୍ରା ଆରମ୍ଭ ହେବ । ୨୫ ତାରିଖରେ ୨୧ ଦିନିଆ ଦଣ୍ଡନାଚ ଦଳ ଆରମ୍ଭ ହେବାକୁ ଥିବା ବେଳେ ପର୍ଯ୍ୟାୟ କ୍ରମେ ୨୮ ତାରିଖରେ ୧୮ ଦିନିଆ ଓ ଏପ୍ରିଲ୍ ୨ ତାରିଖରେ ୧୩ ଦିନିଆ ଦଣ୍ଡନାଚ ଦଳ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହେବ । ପରମ୍ପରା ଓ ସଂସ୍କୃତି ସଂପନ୍ନ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଥିବା ଦଣ୍ଡନାଚରେ ମା ମହାମାୟୀ କାଳୀଙ୍କ ସମେତ ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଭକ୍ତଙ୍କ ଗହଳ ଚହଳ ଲାଗି ରହିବ । ମହାମାୟୀ ମା କାଳୀ। ଦେବ ଦେବ ମହାଦେବ ମନ୍ଦିର ଛାଡି ମାନସିକଧାରୀଙ୍କ ଘର ସମ୍ମୁଖରେ ପୂଜିତ ହେବେ । ଦୀର୍ଘ ୨୧ ଦିନ ଧରି ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଶୁଭିବ ରୁଦ୍ରକାଳୀଙ୍କୁ ଭଜ ହେ ଓ ମହାଦେବଙ୍କୁ ଭଜ ହେ । ଏଥି ସହିତ ଢୋଲ ଓ ମହୁରୀ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିବ । ୨୧ ଦିନିଆ ବ୍ୟାପି ସବୁଠି ଦେଖିବାକୁ ମିଳିବ ମାନସିକଧାରୀ ଦଣ୍ଡୁଆ ମାନଙ୍କ ଗହଳ ଚହଳ ଓ ନଗର ପରିକ୍ରମା। ଦଣ୍ଡନାଚ ଯାତ୍ରାକୁ ଆଖି ଆଗରେ ରଖି ଦଣ୍ଡୁଆ ମାନଙ୍କ ଆବଶ୍ୟକତା ରହିଥିବା ମୟୁରପୁଚ୍ଛ ଓ ବାନା ବ୍ୟବସାୟ ଏବେଠାରୁ ଜୋର୍ ଧରିଛି । ସାଧାରଣତଃ ମୟୁରପୁଚ୍ଛ ରାଜସ୍ଥାନର ଯୋଧପୁର, ଉତ୍ତରପ୍ରଦେଶର ଆଗ୍ରା ଏବଂ ପଶ୍ଚିମବଙ୍ଗର କଲିକତା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲାକୁ ରପ୍ତାନି ହୁଏ। ହିଞ୍ଜିଳିକାଟୁ ଅଞ୍ଚଳର ପୂଜା ଭଣ୍ଡାର ମାଲିକ ମାନେ ସାଧାରଣତଃ ବ୍ରହ୍ମପୁର ଅଞ୍ଚଳରୁ ମୟୁରପୁଚ୍ଛ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରିବଟା କରିଥାନ୍ତି । ଦଣ୍ଡନାଚ ଆରମ୍ଭ ହେବାକୁ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ଆଗାମୀ ଦିନରେ ମୟୁରପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ବ୍ୟବସାୟ ଜୋର ଧରିବ ବୋଲି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ପୂଜା ସାମଗ୍ରୀ ଦୋକାନ ମାଲିକ ମାନେ ଆଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ