ଆଗରପଡା ଗ୍ରୀଡରୁ ବିଦ୍ୟୁତ ସଂଯୋଗ ଲାଗି ବିଧାୟକଙ୍କ ନିକଟରେ ଦାବି

ହାଟଡ଼ିହି (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ, ଢ଼େଙ୍କା, ହଦଗଡ, ବାଲିବରେଇ, ସଢ଼ା, ଜମ୍ଭୀରା, ବଉଳା, ପଢ଼ିଆରିପଲ୍ଲୀ ଆଦି ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଦିନକୁ ୧୦ରୁ ୧୨ଘଣ୍ଟା ବିଦ୍ୟୁତ କାଟ ହେଉଥିବାବେଳେ ପ୍ରାୟ ସମୟ ଦୁଇତିନିଦିନ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଉଛି । ଏପରିକି ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି ଯେ ଆଉ ଆସିବାର ନାଁ ଧରୁନି । ଏବେ ଅତିରିକ୍ତ ଉତ୍ତାପ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଯାଗୁଁ ଲୋକମାନେ ଘରେ ରହିପାରୁ ନଥିବାବେଳେ ବିଦ୍ୟୁତ ବିଭାଗର ଏପରି ବିଦ୍ୟୁତକାଟ ସାଧାରଣ ଜୀବନ ଯାତ୍ରାକୁ ବ୍ୟାଘାତ ପହଞ୍ଚାଉଛି । ଗତ ଦୁଇ ତିନିଦିନ ହେଲା ବର୍ଷା ପବନ ହେଉଥିବାରୁ ବାରମ୍ବାର ବିଦ୍ୟୁତକାଟ କରାଯାଉଛି ଯେ ଅସହ୍ୟ ଗୁଳୁଗୁଳି ଯୋଗୁଁ ଘରେ ରହିହେଉ ନାହିଁ । ଗୋଟିଏ ପଟେ କରୋନା ପାଇଁ ଲକଡାଉନ ଯୋଗୁଁ ଘରେ ବସିବାକୁ ପଡିୁଥିବାବେଳେ ଅନ୍ୟପଟେ ବିଦ୍ୟୁତକାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏପରି ସମସ୍ୟାରୁ ମୁକ୍ତି ପାଇବାପାଇଁ ଆଜି ବାଙ୍ଗୋର ପଞ୍ଚାୟତର ବିଜେଡି ସଭାପତି ପବିତ୍ର ମୋହନ ପେଡା, ବରିଷ୍ଠ ବିଜେଡି ନେତା ଶତୃଘ୍ନ ପାତ୍ର, ରବିନ୍ଦ୍ର କୁମାର ଲେଙ୍କା, ସୋମନାଥ ଦାସ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଅନ୍ତର୍ଯ୍ୟାମୀ ରାଉତ, ଗୌରାଙ୍ଗ ଚରଣ ସାମଲ, ଅନନ୍ତ ଚରଣ ରାଉତ, ଅନନ୍ତ ଆୟଚ, ନରହରି ପାତ୍ର, ଗୋପାଳ ପଟ୍ଟନାୟକ, ନିରୋଦ ସାମଲ, ଦୁର୍ଯ୍ୟୋଧନ ସତପଥି ପ୍ରମୁଖ ଅଞ୍ଚଳବାସୀ ବିଧାୟକଙ୍କୁ ଭେଟି ଆଗରପଡା ଗ୍ରୀଡରୁ ବିଦ୍ୟାଧରପୁର ଓ ଢ଼େଙ୍କା ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ପାଇଁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଠାରେ ଦାବି ଜଣାଇଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ଏନେଇ ବିଦ୍ୟୁତ ବିଭାଗର ମନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାଇ ବିଦ୍ୟୁତର ଲୁଚକାଳି ଖେଳ ଅଞ୍ଚଳବାସୀଙ୍କୁ ଅଣନିଶ୍ୱାସୀ କରିପକାଇଲାଣି । କେବଳ ଦିନେ ନୁହଁ କି ଦୁଇଦିନ ନୁହଁ ମାସର ଅଧାଦିନ ଏହିପରି ସମସ୍ୟା ଲାଗି ରହୁଛି । ଭଦ୍ରକରୁ ଢ଼େଙ୍କା, ବିଦ୍ୟାଧରପୁରକୁ ବିଦ୍ୟୁତ ସପ୍ଲାଏ ହେଉଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି । ଦୀର୍ଘ ୪୨କିଲୋମିଟର ଦୁରରୁ କେନ୍ଦୁଝର ଜିଲ୍ଲା ଶେଷ ସୀମାକୁ ବିଦ୍ୟୁତ ଯୋଗାଣ କରାଯାଉଥବାରୁ ଆଜି କେଉଁଠି ତାର ଛିଣ୍ଡିଡିଲାଣି ତ କାଲି ଶଙ୍ଖ ଫାଟି ଗଲାଣି । ଏପରିକି ଟିକିଏ ମେଘ ପବନ ଆସିଲେ ଏ ଅଞ୍ଚଳକୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରିଦେଉଛନ୍ତି ଯେ ବିଦ୍ୟୁତ ଯୋଗାଣ କରିବାର ନାଁ ଧରୁ ନାହାନ୍ତି । ଆଗରପଡାରେ ନବ ନିର୍ମିତ ଗ୍ରୀଡରୁ ବିଦ୍ୟୁତ ଯୋଗାଣ କରାଯିବ ବୋଲି ବିଭାଗୀୟ କର୍ତ୍ତୁପକ୍ଷ କହିଚାଲିଥିବାବେଳେ ଏବେ ଆଉ ଧରାଛୁଆଁ ଦେଉ ନାହାନ୍ତି । ଏ ଅଞ୍ଚଳରେ ଥିବା ଦୁଇ ଦୁଇଟି ମାଇନ୍ସ, ଧାନ ମିଲ, ନବୋଦୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନେକ ସରକାରୀ ବେସରକାରୀ ଅଫିସ ସହିତ ବ୍ୟବସାୟ ପ୍ରତିଷ୍ଠାନ, ସାଧାରଣ ଲୋକମାନେ ବିଦ୍ୟୁତ ଉପରେ ନିର୍ଭର କରୁଥିବାବେଳେ ବିଭାଗର ଏପରି ଚରମ ଅବ୍ୟବସ୍ଥାରେ ଲୋକମାନେ ଅତିଷ୍ଠ ହୋଇପଡିଲେଣି । ନେସ୍କୋ କର୍ତ୍ତୁପକ୍ଷ ବିଦ୍ୟୁତ ଦେୟ ଆଦାୟ ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଦ୍ୟୁତ ଯୋଗାଣ ଉପରେ ସାମାନ୍ୟ ଗୁରୁତ୍ୱ ଦେଉନାହିଁ ବୋଲି ଅଞ୍ଚଳବାସୀ କରିଛନ୍ତି । ଏହା ଆନନ୍ଦପୁର ଡିଭିଜନ ଅଧିନରେ ରହୁଥିବାବେଳେ ଭଦ୍ରକ ଡିଭିଜନରୁ ବିଦ୍ୟୁତ ଆସୁଛି । ତେଣୁ ଏପରି ସମସ୍ୟା ଲାଗି ରହୁଛି ବୋଲି ବିଧାୟକଙ୍କୁ କହିଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ପୁର୍ବରୁ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ହୋଇଛି ଏବେ ମନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାପାିଁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ