ଆଗାମୀ ତ୍ରିସ୍ତରୀୟ ପଂଚାୟତକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ୍ ଜିଲ୍ଲାର ପ୍ରସ୍ତୁତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଗତକାଲି ବିଗୁଲ ବାଜିଥିବା ବେଳେ ଗଞ୍ଜାମ ପୋଲିସ୍ ଜିଲ୍ଲା ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳା ଭାବେ କରାଯାଇପାରିବ ସେଥି ନିମନ୍ତେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏଙ୍କ ନେତୃତ୍ୱରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥି ନିମନ୍ତେ ବୁଧବାର ଏସପି ଶ୍ରୀ ରଏ ଭିଡିଓ କନଫେରେନ୍ସି ମାଧ୍ୟମରେ ସମସ୍ତ ଥାନା ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ନିମନ୍ତେ ଏସପି ସମସ୍ତ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ହୋଇପାରିବ ସେଥି ନିମନ୍ତେ ସମସ୍ତେ କାର୍ଯ୍ୟ କରିବାକୁ ସେ କହିଛନ୍ତି । ବିଭିନ୍ନ ଥାନା ଅଂଚଳରେ ରହିଥିବା ହାର୍ଡକୋର ଅପରାଧି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ କଡା ନଜର ରଖିବା, ପେସାଦାର ଅପରାଧି ମାନଙ୍କୁ ଗିରଫ୍ କରିବା, ଫେରାର ଥିବା ଅପରାଧି ଓ ପୁରୁଣା ୱାରେଣ୍ଟି ଧରପଗଡ, ମାଦକ ଦ୍ରବ୍ୟ କାରାବାର ସହ ଯାନବାହାନ ଯାଂଚ କଡାକଡି କରିବା, କୋଭିଡ୍ କଟକଣା ନିୟମକୁ ବିଭିନ୍ନ ଅଂଚଳ ଗସ୍ତ କରି ନିୟମିତ ତଦାରଖ କରିବା, ନାଇଟ କର୍ଫ୍ୟୁ କିପରି କଡାକଡି ପାଳନ କରାଯିବ ସେଥି ନିମନ୍ତେ ସମସ୍ତ ଥାନା ଅଧିକାରୀ ମାନେ ଗୁରୁତ୍ୱ ଦେବାକୁ ଗଞ୍ଜାମ ଏସପି କହିଥିଲେ । ଗଞ୍ଜାମ ପୋଲିସ୍ ଜିଲ୍ଲାରେ ୫୩୯୧ ଟି ବୁଥ୍ ରହିଛି । ନିର୍ବାଚନ ପୂର୍ବରୁ ବିଭିନ୍ନ ଥାନା ଅଂଚଳରେ ରହିଥିବା ବୁଥ ଗୁଡିକୁ ନିଜେ ଥାନା ଅଧିକାରୀ ମାନେ ବୁଲି ସ୍ଥିତି ଯାଂଚ କରିବା ସହ ସମ୍ବେଦନଶୀଳ ବୁଥ୍ ଗୁଡିକୁ ମଧ୍ୟ ଚିହ୍ନଟ କରିବା, ନିର୍ବାଚନ ସମୟରେ ବିଶୃଙ୍ଖଳାକାରୀ ମାନଙ୍କ ଉପରେ ୧୦୭ ଓ ୧୧୦ ମାମଲା ରୁଜୁ କରାଇବା ଏବଂ ନିର୍ବାଚନୀ ସଂପର୍କରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପି ସମସ୍ତ ଥାନାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ପି.କେ. ଦଳାଇ, ଡିଏସପି ଅଜୟ କୁମାର ମିଶ୍ର, ଏସ୍‌. ପ୍ରଧାନ ଓ ନର୍ମଦା ନାୟକ, ଡିଆଇବି ଇନ୍ସିପେକ୍ଟର ରମେଶ ଦାସ, କ୍ରାଇମ ଇନ୍ସିପେକ୍ଟର ପ୍ରଦୀପ କୁମାର ଦାସ ଓ ସନ୍ତୋଷ କୁମାର ବେହେରାଙ୍କ ସମେତ ସମସ୍ତ ଥାନାଧିକାରୀ ମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ