ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି : ଅମିତ ଶାହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାରେ ଏବେ ଅଚ୍ଛେ ଦିନ୍ ଆସିଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି ସୋମବାର କଟକ ଇନଡ଼ୋର ଷ୍ଟାଡ଼ିୟମ ଠାରେ ଡ.ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ ରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଯୋଗ ଦେଇ କହିଛନ୍ତି । ଉଦଘାଟକ ଭାବେ ଯୋଗ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କହିଛନ୍ତି ଯେ ଉତ୍କଳ ଭୂମିରେ ପାଦ ରଖିଲେ ମନରେ ଭକ୍ତିଭାବ ଆସେ । ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଗୁଜୁରାଟର ଅହମ୍ମଦବାଦରେ ଜଗନ୍ନାଥ ଅଛନ୍ତି ଓ ପୁରୀରେ ବି ଜଗନ୍ନାଥ ଅଛନ୍ତି । ମହାପ୍ରଭୁ ଜଗନ୍ନାଥ ହିଁ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଭକ୍ତି ଓ ସଂସ୍କୃତିରେ ଯୋଡ଼ି ରଖିଛନ୍ତି । ସେ କହିଛନ୍ତି ଯେ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୟାସ କରାଯାଉଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି । ଓଡ଼ିଶାର ଅଚ୍ଛେ ଦିନର କାରଣ ଆଜି ଓଡ଼ିଶାର ଗରିବ ପରିବାରରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ମହାମହିମ ହୋଇଛନ୍ତି । ଏହା ସାରା ଦେଶର ଆଦିବାସୀମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀମଣ୍ଡଳିରେ ସାମିଲ ଅଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ୱ ମିଳିଛି, ତାହା ସ୍ୱାଧୀନତା ପରେ କେବେ ବି ମିଳି ନାହିଁ । ଉତ୍କଳ କେଶରୀ ମହତାବ ସ୍ୱାଧୀନତା ପୂର୍ବରୁ ଓ ପରେ ଦେଶ ପାଇଁ ଲଢ଼େଇ କରିଥିଲେ । ଉତ୍କଳ ପ୍ରଜାଙ୍କୁ ସର୍ବଦା ନିଜ କାମ ଦ୍ୱାରା ସେ ଗୌରବାନ୍ୱିତ କରିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନରେ ସ୍ୱର ଦେବାର କାମ କରିଛି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ମୁଁ ଚିନ୍ତା କରେ ‘ପ୍ରଜାତନ୍ତ୍ର’ କେବଳ ସଠିକ୍ ରାଜନୈତିକ ଉଦ୍ଦେଶ୍ୟର ପ୍ରବର୍ତ୍ତକ କିମ୍ବା ମାର୍ଗଦର୍ଶକ ନ ଥିଲା ବରଂ ଓଡ଼ିଆ ଜନ ଆକାଂକ୍ଷା, ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ତଥା ଓଡ଼ିଆ ଜନଜୀବନର ସଠିକ୍ ଦର୍ପଣ ଥିଲା । ଏଥିପାଇଁ ପ୍ରଜାତନ୍ତ୍ରକୁ ନେଇ ମୁଁ ମନ ଭିତରେ ଶ୍ରଦ୍ଧା କରେ । ଏହି ଅନୁଷ୍ଠାନ ଓଡ଼ିଆ ସ୍ୱାଭିମାନ ଓ ଅଭିବ୍ୟକ୍ତିର ନିଚ୍ଛକ ପ୍ରତୀକ । ପ୍ରଧାନ ସ୍ୱର୍ଗତ ଡ. ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଜାତନ୍ତ୍ର ଓ ଓଡ଼ିଆ ବୌଦ୍ଧିକ ସମ୍ପଦକୁ ନସ୍ତମସ୍ତକ ହୋଇ ପ୍ରଣାମ ଜଣାଇଛନ୍ତି । ସ୍ୱାଧୀନତା ପୂର୍ବ ଓଡ଼ିଶାର ଲଢେଇ ଓ ସ୍ୱାଧୀନତା ପରର ଓଡ଼ିଶାର ଦୃଷ୍ଟି, ଏ ସବୁ ବିଷୟକୁ ‘ପ୍ରଜାତ’ନ୍ତ୍ର ଓ ଡ଼. ମହତାବଙ୍କୁ ଛାଡ଼ି କଳ୍ପନା କରିବା ଅସମ୍ଭବ । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଦେଶକୁ ଏକତ୍ରୀକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ମୁଁ ଓଡ଼ିଶାର ଗଡ଼ଜାତ ଅଞ୍ଚଳର ଅଧିବାସୀ । ସେ ସମୟର ପୀଡ଼ା ଓ ବେଦନାକୁ ମୁଁ ଏବେ ଅନୁଭବ କରିପାରୁଛି । ପଟେଲ ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଦେଶ ସହ ମିଶାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ସେହିପରି ଡ଼.ମହତାବ ଗଡ଼ଜାତ ରାଜ୍ୟ ଗୁଡ଼ିକର ଓଡ଼ିଶା ସହ ମିଶ୍ରଣରେ ନୀଳଗିରିକୁ ପ୍ରଥମେ ସାମିଲ କରାଇଥିଲେ । ପରେ ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗରେ ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରି ପଟେଲ ଓ ମହତାବଙ୍କ ଅଧା ସ୍ୱପ୍ନକୁ ପୂରଣ କରିଛନ୍ତି । ଏହା ଗୌରବର ବିଷୟ ଯେ ମହତାବ ଆମେରିକାର ପ୍ରିନ୍ସଟୋନ ବିଶ୍ୱବିଦ୍ୟାଳୟରେ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସାମ୍ନାରେ ଭାଷଣ ପ୍ରଦାନ କରିଥିଲେ । ଆଗାମୀ ୨୫ବର୍ଷ ପରେ ଦେଶ ସ୍ୱାଧୀନତାର ଏବଂ ‘ପ୍ରଜାତନ୍ତ୍ର’ ନିଜ ପ୍ରତିଷ୍ଠାର ଶତବାର୍ଷିକୀ ପୂରଣ କରିବ । ପ୍ରଧାନମନ୍ତ୍ରୀ ମୋଦି ସଠିକ ଭାବେ ଏହାକୁ ଅମୃତ କାଳ କହିଛନ୍ତି । ଏହି ସମୟରେ ଆମର ପୂର୍ବଜ ସମୂହ ଯଥା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ କେଶରୀ ମହତାବ,ବୀର ବକ୍ସି ଜଗବନ୍ଧୁ, ଶହୀଦ ଲକ୍ଷ୍ମଣ ନାୟକ, ସୁରେନ୍ଦ୍ର ସାଏ ଓଡ଼ିଶାକୁ ଚରମ ବୈଭବକୁ ନେବା ପାଇଁ ସ୍ୱପ୍ନ ଦେଖିଥିଲେ । ଏହି ଅମୃତ କାଳରେ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଓଡ଼ିଆ ଲୋକମାନେ ସଂକଳ୍ପ କରିବା ଯେ ଓଡ଼ିଶାକୁ କେବଳ ଭାରତବର୍ଷର ନୁହେଁ ବରଂ ବିଶ୍ୱର ଏକ ଅଗ୍ରଣୀ ଅଞ୍ଚଳ ଭାବରେ ତିଆରି କରିବା । କହିଛନ୍ତି ଯେ ଯେତେବେଳେ ଦେଶ ସ୍ୱାଧୀନତାର ୭୫ବର୍ଷ ଯାତ୍ରା ଅବସରରେ ଆମେ ଅମୃତ ମହୋତ୍ସବ ପାଳନ କରଅଛେ । ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯିବାର ପ୍ରସ୍ତୁତି ସହ ଦେଶରେ ନବ ଜାଗରରଣ ଜାଗ୍ରତ ସୃଷ୍ଟି କରିବାର ସାମାଜିକ ପ୍ରଚେଷ୍ଟା କରାଯାଉଛି । ସେଭଳି ଏକ ମୁହୂର୍ତ୍ତରେ ଓଡ଼ିଆଙ୍କର ଅନ୍ୟତମ ପରିଚୟ ‘ପ୍ରଜାତନ୍ତ୍ର’ ୭୫ବର୍ଷରେ ପର୍ଦାପଣ କରିବା ଏକ ସୁଖଦ ସଂଯୋଗ । ବିଶେଷ ଭାବରେ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଓଡ଼ିଶାକୁ ନୂଆ ପରିଚୟ ଦେଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଜାତନ୍ତ୍ରର ସମ୍ପାଦକ ତଥା ସାଂସଦ ଡ଼. ଭର୍ତ୍ତୃହରି ମହତାବ, ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ପ୍ରତିଭା ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଦୈନିକ ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଗୃହ ମନ୍ତ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କରିଥିଲେ । କଟକ ଗସ୍ତ କାଳରେ ଶାହଙ୍କୁ କଟକର ନିଶାମଣୀ ମଣ୍ଡପ ସମେତ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ