ଆଗାମୀ ସାଧାରଣ ନିର୍ବାଚନ ସଞ୍ଚାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ଆଗାମୀ ସାଧାରଣ ନିର୍ବାଚନ-୨୦୧୯ ସଂଚାଳନ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ନ ପ୍ରାୟ ସାଧାରଣ ନିର୍ବାଚନକୁ ଆଖିରେ ରଖି ସମସ୍ତ ପ୍ରଶାସନିକ ବ୍ୟବସ୍ଥା ସଜାଗ ରଖିବାକୁ ଜିଲ୍ଲାପାଳ କହିଛନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧି ପରିପାଳନ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ପୋଲିସ ମୁତୟନ, ସଭାସମିତି ନିମନ୍ତେ ଅନୁମତି ପ୍ରଦାନ, ପୋଷ୍ଟର ବ୍ୟାନର ମାରିବା ଅନୁମତି ପ୍ରଦାନ ସହିତ ୧୦୭ ଓ ୧୧୦ ସିଆରପିସି ଇସ୍ୟୁ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ କାର୍ଯ୍ୟାବଳୀ ଉପରେ ବିଶଦ୍ ଭାବେ ଅଧିକାରୀଙ୍କୁ ମାର୍ଗ ଦର୍ଶନ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ବଳବତର ଥିବା ସମୟରେ ଯେ କୌଣସି କାର୍ଯ୍ୟ ବିଧି ମୁତାବକ କରିବା ଏବଂ ପ୍ରଥମ ଆସିଥିବା ନିବେଦନକୁ ପ୍ରଥମେ ଅନୁପାଳନ କରିବା ଭଳି କେତେକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଏହି ସମୟ ମଧ୍ୟରେ ଯେ କୌଣସି ନିର୍ବାଚନ ସଂକ୍ରାନ୍ତୀୟ ତଥ୍ୟ ତଥା ରିପୋର୍ଟ ତୁରନ୍ତ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସି-ଭିଜିଲାନ୍ସ ଉପରେ ତଥ୍ୟ ରଖି ଜିଲ୍ଲାପାଳ ଏଥିରେ ୧୦୦ମିନିଟ୍ ମଧ୍ୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଆରକ୍ଷୀ ଅଧୀକ୍ଷକ ବି.ଯୁଗଳ କିଶୋର ପୋଲିସ୍ ମାଜିଷ୍ଟ୍ରେଟ ମଧ୍ୟରେ ଉତମ ସମନ୍ୱୟ ରହିଲେ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିପାରିବ ବୋଲି ସେ କହିଥିଲେ । ଅଧିକାରୀମାନେ ନିରପେକ୍ଷତା ଅବଲମ୍ବନ କରିବା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେବା ବିଧୟେ ବୋଲି ବୈଠକରେ ଅବଗତ କରାଯାଇଥିଲା । ହଟାଯାଇଥିବା ହୋର୍ଡିଂ, ପୋଷ୍ଟର, ବ୍ୟାନର ଆଦିକୁ ଏକ ନିିର୍ବିବାଦୀୟ ସ୍ଥାନରେ ଡମ୍ପିଂ କରିବାକୁ କୁହାଯାଇଥିଲା । ନିର୍ବାଚନ ପରିଚାଳନା କାର୍ଯ୍ୟରେ କୌଣସି ପ୍ରକାର ତ୍ରୁଟି ପାଇଁ କ୍ଷମା ନାହିଁ ତେଣୁଁ ସେଥି ସକାଶେ ପ୍ରତ୍ୟେକ କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ନିୟମ ରହିଛି ତାକୁ ସେହି ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ପିଡି ଡିଆରଡିଏ ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ନୀଳଗିରି ବିଶାଲ ସିଂହ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀନଜନ ନାୟକ ମଞ୍ଚାସୀନ ଥିବାବେଳେ ସମସ୍ତ ଅତିରିକ୍ତ ତହସିଲଦାର, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଏବଂ ସେକ୍ଟର ମାଜିଷ୍ଟ୍ରେଟ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ