ଆଗାମୀ ୧୦ ବର୍ଷ ମଧ୍ୟରେ ଅଧା କମିଯିବ ପେଟ୍ରୋଲ, ଡିଜେଲ ଦର
ବିଶ୍ୱ ବଜାରରେ ତୈଳଦର ଏବେ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଏବେ ଭାରତୀୟ ବାସ୍କେଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୫୯ ଡଲାର ରହିଛି । କିନ୍ତୁ ଦୀର୍ଘ ମିଆଦୀ ଭିତ୍ତିରେ ବିଶ୍ୱବଜାରରେ ତୈଳଦର ଆହୁରି ହ୍ରାସପାଇବ ବୋଲି ବିଶେଷଜ୍ଞମାନେ ଅଟକଳ କରିଛନ୍ତି । ଏହାର କାରଣ ହେଉଛି ତୈଳଚାଳିତ କାରଗୁଡ଼ିକ ଆଗାମୀ ଦିନରେ ଇଲେକ୍ଟ୍ରିକ ଯାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଯଦି ତେଲ ଦର ବ୍ୟାରେଲ ପିଛା ୯ କିମ୍ବା ୧୦ ଡଲାରକୁ ନ ଖସେ ତେଲଚାଳିତ ଗାଡ଼ିଗୁଡ଼ିକ ଇଲେକ୍ଟ୍ରିକ ଗାଡ଼ି ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି କହିଛି ଆର୍ଥିକ ସଂସ୍ଥା ବିଏନ୍ପି ପାରିବାସର ଏକ ରିପୋର୍ଟ । ଏପରି ସ୍ଥିତିରେ ଆଗାମୀ ପ୍ରାୟ ୧୦ ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା ପର୍ଯ୍ୟନ୍ତ ଖସିଆସିବା ଅସମ୍ଭବ ନୁହେଁ । କିନ୍ତୁ ସେତେବେଳକୁ ବୋଧହୁଏ ଇଲେକ୍ଟ୍ରିକ କାରର ଜମାନା ଆସିଯାଇଥିବ । ପରିବେଶ ପ୍ରଦୂଷଣକୁ ରୋକିବାକୁ ବିଶ୍ୱରେ ଏବେ ଇଲେକ୍ଟ୍ରିକ ଯାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଭାବରୁ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଯାନବାହାନ ବିକ୍ରି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଚାଲିଛି । ବିଶ୍ୱର ବୃହତ୍ତମ କାର ଗ୍ରାହକ ଚୀନରେ ଅଟୋମୋବାଇଲ ବିକ୍ରି କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଆମେରିକା, ୟୁରୋପରେ ମଧ୍ୟ କାର ବିକ୍ରି କମିଚାଲିଛି । ସାରା ବିଶ୍ୱରେ କାର ଓ ଅନ୍ୟାନ୍ୟ ଯାନ ବିକ୍ରି କମୁଥିବାରୁ ତେଲର ଚାହିଦା ହ୍ରାସ ପାଇଚାଲିଛି । ଏ ପରିପ୍ରେକ୍ଷୀରେ ବଜାରରେ ତିଷ୍ଠିବା ପାଇଁ ଆଗାମୀ ଦିନରେ ତେଲ ଦର ଆଶାତୀତଭାବେ ହ୍ରାସ ପାଇବାର ସମ୍ଭାବନା ରହିଛି ।ବଜାରକୁ ଆସିବ ଅଣ୍ଡାରୁ ପ୍ରସ୍ତୁତ ପନିର ଓ ଜୁସ୍\nଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ଅଣ୍ଡାରୁ ପ୍ରସ୍ତୁତ ହୋଇଥିବା ପନିର ଓ ଅଣ୍ଡା ଜୁସ । ପଞ୍ଜାବର ଗୁରୁ ଅଙ୍ଗଦ ଦେବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନେ ଗବେଷଣା କରି କିଛି ଏଭଳି ଜ୍ଞାନକୌଶଳକୁ ବିକଶିତ କରିଛନ୍ତି । ଯାହାଫଳରେ ଅଣ୍ଡାରୁ ପନିର, ଅଣ୍ଡା ଜୁସ, ଅଣ୍ଡା ଆଚାର ଭଳି ପ୍ରାୟ ୧୬ଟି ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଖୁବ ଶୀଘ୍ର ଏହି ପ୍ରଣାଳୀ ବାବଦରେ ଚାଷୀଙ୍କୁ ଶିକ୍ଷା ଦିଆଯିବ ଯାହାଦ୍ୱାରା ଚାଷୀଙ୍କର ରୋଜଗାର ମଧ୍ୟ ବଢ଼ିପାରିବ । ତେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ଟ୍ରେନିଂ ଦେଉଥିବା ରାଜିନ୍ଦର କପୁରଙ୍କର କହିବା କଥା ଯେ ସେ ଯେତେବେଳେ କାନାଡ଼ା ଯାଇଥିଲେ ସେଠାରେ ବିଭିନ୍ନ ଆମିଷ ଦ୍ରବ୍ୟରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଥିବାର ଦେଖିବାକୁ ପାଇଥିଲେ । ଏହାକୁ ସେ ଶିଖି ଅଣ୍ଡାରୁ କିଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ ସେ ନେଇ ଚିନ୍ତା କରିଥିଲେ । ବିଶେଷ କରି ଭାରତରେ ମଧ୍ୟ ଅନେକ ଲୋକ ଆମିଷ ଖାଇବାକୁ ପସନ୍ଦ କରୁ ନ ଥିବାବେଳେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ତେଣୁ ଭାରତୀୟଙ୍କ ମଧ୍ୟରେ ଏହା ଲୋକପ୍ରିୟ ହୋଇପାରିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଶା କରାଯାଇଛି ।