ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗ କଂଗ୍ରେସ ପ୍ରତି ପାତରଅନ୍ତର ମନୋଭାବ ପୋଷଣ କରନ୍ତୁ ନାହିଁ
ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି । ସେ ନିର୍ବାଚନ ଆଚରଣ ବିଧି ଉଂଲ୍ଲଘନ କରିି ନାହାନ୍ତି ବୋଲି ଏଥିରେ ଦର୍ଶାଇଛନ୍ତି । ସେ କେବଳ ୧୯୨୭ ଆଇନର ଧାରା ୬୬ର ସଂଶୋଧିତ ସରକାରୀ ନିୟମାବଳୀ ଉପରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇବାର ପ୍ରୟାସ କରିଥିଲେ । ଏଥିସହ ସେ କମିସନଙ୍କୁ ଅନୁରୋଧ କରିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆସୁଥିବା ଅଭିଯୋଗର ବିଚାର ଏକପାଖିଆ ହେବା ଅନୁଚିତ୍ । ଏହି ଅବସରରେ ରାହୁଲ ୧୧ପୃଷ୍ଠାର ଜବାବ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି ।
ଏପ୍ରିଲ୍ ୨୩ ତାରିଖରେ ମଧ୍ୟପ୍ରଦେଶର ଶାହଡୋଲରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ଯେ, ମୋଦି ସରକାର ଏପରି ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି ଯାହା ଆଦିବାସୀମାନଙ୍କୁ ଗୁଳି କରିବା ଲାଗି ଅନୁମତି ଦେଇଛି । ଏହା ବିରୋଧରେ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଅଣାଯାଇଥିଲା । ଏହାପରେ କମିଶନ ରାହୁଲ ଗାନ୍ଧିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହି କାରଣ ଦର୍ଶାଅ ନୋଟିସ୍ର ଉତ୍ତରରେ ରାହୁଲ ଗାନ୍ଧି ଏକ ୧୧ ପୃଷ୍ଠାର ପତ୍ର କମିଶନଙ୍କୁ ଲେଖିଛନ୍ତି ।


