‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ଏନଏଚଏଆଇର ଦେଶ ବ୍ୟାପୀ ବୃକ୍ଷରୋପଣ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଆଜାଦି କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଏନଏଚଏଆଇ ୧୭ ଜୁଲାଇ, ୨୦୨୨ରେ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବା। ଏନଏଚଏଆଇର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକ ବୃକ୍ଷରୋପଣ ପାଇଁ ୧୦୦ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକି ଜାତୀୟ ରାଜପଥ ପାର୍ଶ୍ବ, ଏନଏଚଏଆଇ ଲ୍ୟାଣ୍ଡ ପାର୍ସଲ୍ ଓ ଟୋଲ୍ ପ୍ଲାଜା ନିକଟରେ ରହିଛି। ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଏନଏଚଏଆଇ ୧୫ ଅଗଷ୍ଟ ୨୦୨୨ ସୁଦ୍ଧା ୭୫ ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡ଼କରୀ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏନଏଚଏଆଇର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରାଯିବ। ଏହି ଅଭିଯାନରେ ମଧ୍ୟ ଲୋକ ପ୍ରତିନିଧି, ସିଭିଲ୍ ସୋସାଇଟି, ଏନଜିଓ ଓ କଲେଜ୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ, ଆନ୍ଧ୍ର ପ୍ରଦେଶ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଙ୍କୁ ଚାରା ରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସାମିଲ୍ କରାଯିବ। ପରିବେଶ ଉପଯୋଗୀ ଜାତୀୟ ରାଜପଥର ବିକାଶ ପାଇଁ ଏନଏଚଏଆଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହାର ଲକ୍ଷ୍ୟ ହେଉଛି ଜନସାଧାରଣ, ରାଜ୍ୟ ସରକାର ଏଜେନ୍ସି, ଘରୋଇ ବୃକ୍ଷ ରୋପଣ ଏଜେନ୍ସି, ମହିଳା ଏସଏଚଜିଙ୍କୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ (ଏସଆରଏଲ୍ଏମ୍) ଓ ଜଙ୍ଗଲ ଓ ଉଦ୍ୟାନ କୃଷି ବିଶେଷଜ୍ଞଙ୍କ ମାଧ୍ୟମରେ ସାମିଲ୍ କରି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା।