ଆଜାଦ୍ କି ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା): ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିଛି । ପରିବେଶ ସୁରକ୍ଷା ଏବଂ ଯତ୍ନ ସଂପର୍କରେ ସାଙ୍କେତିକ(ଆଇକନିକ୍‌) ସପ୍ତାହ ପାଳନ କରାଯାଇଛି । ଛତ୍ରପୁର ନିକଟ ତାମ୍ପରା ହ୍ରଦ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଯତ୍ନ ସଂପର୍କରେ ବହୁଳ ମାତ୍ରାରେ ସଚେତନ ହେବା ପାଇଁ ଆହ୍ୱାନ ଦେଇଥିଲେ । ରାମସର ଅନୁକୂଲ୍ୟରେ ଛତ୍ରପୁର ତାମ୍ପରା ହ୍ରଦ ଆଦ୍ରଭୂମି ମାନ୍ୟତା ପାଇବାକୁ ଯାଉଛି । ଏଥିସକାଶେ ଗଞ୍ଜାମ ଜିଲ୍ଲାବାସୀ ଭାବେ ଆମେ ଗର୍ବିତ । ତାମ୍ପରାର ରୂପରେଖ ପରିବର୍ତ୍ତନ ହୋଇ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଆଜି ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାମ୍ପରା ହ୍ରଦର ସୌନ୍ଦର୍ଯ୍ୟୀକରଣ ଶୋଭା ପାଇଛି । ତାମ୍ପରା ହ୍ରଦ ଜଳର ସ୍ଥିରତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ ଲାଗି ଛତ୍ରପୁର ଓ ବ୍ରହ୍ମପୁର ବିଧାୟକଙ୍କ ସମେତ ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି । ରାମସର ଅନୁକୂଲ୍ୟରେ ପୂର୍ବରୁ ଦେଶର ୪୬ ସ୍ଥାନକୁ ଆଦ୍ରଭୂମିର ମାନ୍ୟତା ମିଳିଛି । ତାହା ମଧ୍ୟରେ ଓଡିଶାର ଚିଲିକା ହ୍ରଦ ଓ ଭିତରକନିକା ରହିଛି । ଏବେ ଦେଶର ଆଉ ୨୫ ସ୍ଥାନକୁ ଆଦ୍ରଭୂମିର ମାନ୍ୟତା ମିଳିବ । ଏଥିରେ ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ ସ୍ଥାନ ପାଇଛି । ସେହିପରି ଦେଶର ବୃହତ୍ତମ ହ୍ରଦ ଚିଲିକା ଭାବେ ତାହାର ପରିଚୟ ଯେପରି ବିସ୍ତାର କରି ରହିଛି । ସେହିପରି ତାମ୍ପରା ହ୍ରଦ ମଧ୍ୟ ଆଗାମୀ ଦିନରେ ଦେଶ ଓ ବିଦେଶରେ ପରିଚୟ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ରହିବ । ଏଣୁ ତାମ୍ପରା ହ୍ରଦର ପରିବେଶ ସଂରକ୍ଷଣ ଏବଂ ଜୈବବିଧତାକୁ ସୁରକ୍ଷା ଦେବା ଲାଗି ଆମ୍ଭମାନଙ୍କ କର୍ତ୍ତବ୍ୟ ରହିଛି । ଆସନ୍ତୁ ଆଜି ହିଁ ଏହାର ସୁରକ୍ଷା ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ବିଭିନ୍ନ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ ତାମ୍ପରା ହ୍ରଦ ଆଦ୍ରଭୂମିର ପରିଚୟ ପାଇବାକୁ ଯାଉଥିବାରୁ ଆବଶ୍ୟକ ଥିବା ବିକାଶ କାର୍ଯ୍ୟକୁ ମିଳିମିଶି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ତାମ୍ପରା ଗଞ୍ଜାମ ଜିଲ୍ଲାର ନୂତନ ପରିଚୟ ମଧ୍ୟ ସୃଷ୍ଟି କରିପାରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିସନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦୋରା, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାଷନ୍‌, ବିଡିଏ ସଚିବ ସମ୍ବିତ୍ କୁମାର ରାଉତ ପ୍ରମୁଖ ମଞ୍ଚାସିନ ରହିଥିଲେ । ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍ କୁମାର ନାୟକ ସ୍ୱାଗତ ଭାଷଣ ସହ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟର ବିବରଣୀ ରଖିଥିଲେ । ଏସିଏଫ୍ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରଞ୍ଜିତା ଦାଶ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଜାତୀୟ ପୁରଷ୍କାର ପ୍ରାପ୍ତ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ୍ କୁମାର ସେଠୀଙ୍କ ଦ୍ୱାରା ପ୍ରାୟୋଜିତ ପରିବେଶ ସୁରକ୍ଷା ଏବଂ ଯତ୍ନ ସଂପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ପରିବେଶ ସୁରକ୍ଷା ଏବଂ ଯତ୍ନ ଦିଗରେ କାର୍ଯ୍ୟ କରୁଥିବା ରବୀନ୍ଦ୍ର କୁମାର ସାହୁ, ମାଗତା ବେହେରା, ସୁମନ ପ୍ରଧାନ, ବିଚ୍ରିତାନନ୍ଦ ବିଶ୍ୱାଳ, ସୁଶାନ୍ତ ପରିଡା, ସାଗର ନାୟକ, ପ୍ରଦ୍ୟୁମ୍ନ କୁମାର ବେହେରା, ସୌମ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ୮ ଜଣ ସ୍ୱେଚ୍ଛାସେବୀଙ୍କୁ ଏବଂ ପରିବେଶ ସୁରକ୍ଷା ସଂପର୍କିତ ନାଟକ ପରିବେଷଣର ମୁଖ୍ୟ ଜାତୀୟ ପୁରଷ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସେଠୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ