ଆଜାଦ୍ ହିନ୍ଦ୍ ବାହିନୀର ଜାତୀୟ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ବର୍ଷ ଏବଂ ଆଜାଦ୍ ହିନ୍ଦ ସରକାରର ୭୯ ତମ ପ୍ରତିଷ୍ଠା ଦିବସ ଅବସରରେ ନେତାଜୀଙ୍କ ଦ୍ୱାରା ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’ର ପୁର୍ନଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଟୋବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଏକ ଜାତୀୟ କର୍ମଶାଳା ଆଜିଠାରୁ ଭୁବନେଶ୍ୱର ନେତାଜୀଭବନ ପରିସରରେ ଆରମ୍ଭ ହୋଇଛି । ‘ଆଜାଦ୍ ହିନ୍ଦ୍ ବାହିନୀ’ର ସର୍ବଭାରତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବକୁ ନେତାଜୀଙ୍କ ଆଦର୍ଶରେ କାର୍ଯ୍ୟ କରୁଥିବା ଶ୍ରମିକ ସଂଗଠନ ଟି.ୟୁ.ସି.ସି.ର ଜାତୀୟ ସାଧାରଣ ସମ୍ପାଦକ ଜି.ଆର୍‌. ଶିବ୍‌ଶଙ୍କର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି କର୍ମଶାଳାକୁ ଉଦ୍‌ଘାଟନ କରି ନେତାଜୀ ସୁଭାଷଙ୍କୁ ବିଶ୍ୱର ଶ୍ରେଷ୍ଠ ଦିଗ୍‌ଦର୍ଶକ ଏବଂ ସଫଳ ରୂପକାର ଭାବରେ ଶ୍ରୀ ଶିବ୍‌ଶଙ୍କର ବର୍ଣ୍ଣନା କରିବା ସହ ନେତାଜୀଙ୍କ ଆଦର୍ଶ, ସୁଭାଷବାଦୀ ଦର୍ଶନ ଏବଂ କାର୍ଯ୍ୟଶୈଳୀ ଅବର୍ଣ୍ଣନୀୟ ଓ ଅନୁକରଣୀୟ ବୋଲି ପ୍ରକାଶ କରିଥିଲେ । ନେତାଜୀଙ୍କ ପଥରେ ଦେଶର ଯୁବପିଢ଼ୀ ଚାଲିବା ଆରମ୍ଭ କଲେ ଭାରତ ବର୍ଷକୁ ରକ୍ଷା କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ପରାଧୀନ ଭାରତ ବର୍ଷରେ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଲାବେଳେ ସ୍ୱାଧୀନ ଭାରତବର୍ଷର ଶାସନର ଡୋରୀ ସାଧାରଣ ଜନତାଙ୍କ ହାତରେ ରହିବ ବୋଲି ସ୍ୱପ୍ନ ଦେଖିଥିଲେ ନେତାଜୀ । ସେ ଦେଶରେ ଅର୍ଥନୈତିକ ସ୍ୱାଧୀନତାର ଆବଶ୍ୟକତାକୁ ଗୁରୁତ୍ୱର ସହ ବିଚାର କରୁଥିଲେ । ଦେଶର ସମ୍ପତ୍ତିର ମାଲିକ ସାଧାରଣ ଜନତା ବୋଲି ବିଚାର କରିବା ସହ ଜାତୀୟତାବାଦୀ ବିଚାରବୋଧର ଆଧାରରେ ରାଷ୍ଟ୍ରର ପୁଞ୍ଜି ବା ସମ୍ପତ୍ତି ରାଷ୍ଟ୍ର ନିୟନ୍ତ୍ରଣରେ ରହିବା ଉପରେ ଗୁରୁତ୍ୱ ଦେଉଥିଲେ । କିନ୍ତୁ ଆଜି ଦେଶପ୍ରେମ ନାମରେ ଆମ ଦେଶର ସରକାରମାନେ ରାଷ୍ଟ୍ରାୟାତ ଉଦ୍ୟୋଗ ଗୁଡିକୁ ଶାଗମାଛ ଦରରେ ଦେଶୀବିଦେଶୀ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି । ଯାହା ଫଳରେ ଦେଶର ଜନଗଣ ଆଉ ଏକ ପରାଧିନତା ଆଡକୁ ମୁହାଁଉଛନ୍ତି ବୋଲି ଶ୍ରୀ ଶିବଶଙ୍କର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ରାଜ୍ୟ ତଥା ଦେଶର ସୁରକ୍ଷା, ଗଣତାନ୍ତ୍ରିକ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଦେଶର ଅଖଣ୍ଡତା ଓ ଜନତାଙ୍କ ଅଧିକାରର ସୁରକ୍ଷା ପାଇଁ ଆଜାଦ୍ ହିନ୍ଦ୍ ବାହିନୀର ସାଥୀମାନେ କାର୍ଯ୍ୟ କରିବାକୁ ନିଜର ଉଦ୍‌ଘାଟନି ଅଭିଭାଷଣରେ ଶ୍ରୀ ଜି.ଆର୍‌. ଶିବଶଙ୍କର ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗ ଦେଇ ନେତାଜୀଙ୍କର କାର୍ଯ୍ୟଶୈଳୀ ଓ ବିଚାରଧାରା ଅନ୍ୟ ରାଜନୈତିକି ବିଚାରଧାରା ଠାରୁ ବହୁ ଗୁଣରେ ଭିନ୍ନ । ନେତାଜୀଙ୍କ ଆଦର୍ଶର ପ୍ରଚାର ପ୍ରସାର ଏବଂ ତାଙ୍କୁ ଉଚିତ୍ ସମ୍ମାନଦେବାରେ ଆମ ଦେଶ ତଥା ରାଜ୍ୟର ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସୁଭାଷବାଦୀ ବିଚାର ଧାରା ହିଁ ଦେଶର ସାମଗ୍ରୀକ ବିକାଶରେ ସାହାଯ୍ୟକାରୀ ହୋଇପାରିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସଭାପତି ପୁର୍ଣ୍ଣଚନ୍ଦ୍ର ପାଢ଼ୀ ବକ୍ତବ୍ୟ ରଖି ଆଜାଦ୍ ହିନ୍ଦ୍ ବାହିନୀର ସାଥୀମାନେ ନେତାଜୀଙ୍କ ଆଦର୍ଶର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରବାକୁ ଆହ୍ୱାନ କରିଥିଲେ । ଏହି କର୍ମଶାଳାର ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ୍‌ଜୀବୀ ବିଭୁପ୍ରସାଦ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆଜାଦ୍ ହିନ୍ଦ୍ ବାହିନୀ ହିଁ ସାଂପ୍ରତିକ ସଂକଟରୁ ଦେଶକୁ ରକ୍ଷା କରିପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସାଥୀ ପ୍ରିୟାଂଶୁ କୁମାରୀ ସଭାପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ଶମ୍ଭୁପ୍ରସାଦ ମହାନ୍ତି, ଯୁବନେତା ନାରାୟଣ ଡାଳୁଆ, ବିକାଶ ମହାପାତ୍ର, ସୋମନାଥ ଖିଲ, ଲକ୍ଷ୍ମୀ ଦୋରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଜି ଉଦ୍‌ଘାଟିତ ହୋଇଥିବା ଏହି କର୍ମଶାଳା ଆସନ୍ତା ୬ ଦିନ ଧରି ଚାଲିବ । ଏହି କର୍ମଶାଳାରେ ଓଡିଶା ସମେତ ୬ଟି ରାଜ୍ୟରୁ ଯୁବଛାତ୍ର ପ୍ରତିନିଧିମାନେ ଯୋଗଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ