ଆଜିଠାରୁ ‘ଏକତା ପରିଷଦ’ ଜନସଂଗଠନ ତରଫରୁ “ନ୍ୟାୟ ଶାନ୍ତି ଯାତ୍ରା”
ଭୁବନେଶ୍ୱର, (ୱାଇଏନ୍ଏସ୍): ଆମ ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ ପାଇଁ ପ୍ରସ୍ତୁତି ହେଉଛି । ଏହା ସତ ଆମେ ବହୁତ ବିକାଶ କରିଛୁ । ଏହାବି ସତ ଯେ, ନ୍ୟାୟ ଓ ବିକାଶ ସମାଜର ଅନ୍ତିମ ବ୍ୟକ୍ତି ପାଖରେ ଅଦ୍ୟାବଧି ପହଞ୍ଚ ପାରିନାହିଁ । ସମସ୍ତେ ଚାହାଁନ୍ତି-ଦେଶରେ ନ୍ୟାୟ ଓ ଶାନ୍ତି ରହୁ । ଭୟ ସୃଷ୍ଟି କରି ପୋଲିସ୍ ଦ୍ୱାରା ଶାନ୍ତି ଆସୁ, ଏହା ଆମେ ଚାହୁଁନା । ସମାଜ ଆଧାରିତ ଶାନ୍ତି ଆମେ ଚାହୁଁ । ଆମର ବିଶ୍ୱାସ ଯେ, ନ୍ୟାୟ ହିଁ ଶାନ୍ତି ଆଣିପାରିବ । ବର୍ତ୍ତମାନ ଅପରିଣାମଦର୍ଶୀ ବିକାଶ ପ୍ରକୃତି ପ୍ରତି ଘୋର ଅନ୍ୟାୟ କରିଛି । ପରିଣାମସ୍ୱରୂପ ଜଳବାୟୁ ପ୍ରଦୂଷଣ ଓ ତାକୁ ନେଇ ବହୁବିଧ ସମସ୍ୟାରେ ଆମେ ଜର୍ଜରିତ । ବିକାଶର ଅବଧାରଣା ପ୍ରକୃତିକୈନ୍ଦ୍ରିକ ହେଉ । ଏଥିପାଇଁ ଆମ ସମସ୍ତଙ୍କୁ ମିଳିତ ପ୍ରୟାସ କରିବାକୁ ପଡ଼ିବ ।ସମାଜରେ ହିଂସା ବଢୁଛି । ଫଳରେ ଏହାର ସହଯୋଗୀମାନେ ଲାଭାନ୍ୱିତ ହେଉଛନ୍ତି । ହିଂସାକୁ ରୋକିବା ଓ ଅହିଂସା ବିଚାରକୁ ପ୍ରୋତ୍ସାହିତ କରିବା ହିଁ ଆମ୍ଭର ଦାୟିତ୍ୱ । ମଣିଷ ମଣିଷ ଭିତରେ ତଥା ମଣିଷ ପ୍ରକୃତି ମଧ୍ୟରେ ହେଉଥିବା ହିଂସାକୁ ସମାପ୍ତ କରିବାକୁ ପଡ଼ିବ । ହିଂସାକୁ ହିଂସା ଦ୍ୱାରା ରୋକିବା ବଦଳରେ ବିଚାର ଓ ବ୍ୟବହାରରେ ଅହିଂସାକୁ ଉତ୍ତାରିବାକୁ ପଡ଼ିବ ।ଗରିବୀ ତଥା ଅସମାନତା ବଢୁଛି । ବଞ୍ôଚବା ପାଇଁ ଆବଶ୍ୟକତା ଥିବା ସଂଶାଧନ ଓ ସୁଯୋଗ ଉପରେ ସମସ୍ତଙ୍କ ସମାନ ଅଧିକାର ରହୁ । ଏ ଦିଗରେ ଏବେ ବି ବହୁତ କାମ ବାକି ଅଛି । ଆମେ ସମସ୍ତେ ସର୍ବୋଦୟ ତଥା ଜୟ ଜଗତର ସିଦ୍ଧାନ୍ତରେ ବିଶ୍ୱାସ ରଖୁଥିବା ଲୋକ । ସମସ୍ତଙ୍କର ଉଦୟ ହେଉ । କେହି ବି ଗରିବୀ ଓ ବିସମତାର ଶିକାର ନ ହୁଅନ୍ତୁ । ଦୁନିଆର ସମସ୍ତଙ୍କର ମଙ୍ଗଳ ହେଉ ତଥା କାହାରି ପରାଜୟ ନହେଉ । ଆମେ ବିଶ୍ୱାସ କରୁ ଯେ, ଏକ ସୁନ୍ଦର ଦୁନିଆକୁ ସାକାର କରିବା ପାଇଁ ଏହିସବୁ ବିଚାରର ମହତ୍ୱ ରହିଛି । ଶୋଷଣମୁକ୍ତ ସମାଜର ରଚନା ଏଭଳି ସିଦ୍ଧାନ୍ତ ଦ୍ୱାରା ସମ୍ଭବ ହୋଇପାରିବ ।
ଏହି ପଦଯାତ୍ରା ୨୧ ସେପ୍ଟେମ୍ବର ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଦିବସ ଠାରୁ ୨ ଅକ୍ଟୋବର ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପର୍ଯ୍ୟନ୍ତ ଏଇଥିପାଇଁ କରାଯାଉଛି ଯେ, ସମସ୍ତେ ଅନ୍ତତଃ ଶାନ୍ତି, ନ୍ୟାୟ ଓ ଅହିଂସାର କଥା ଖୋଲାଖୋଲି ଭାବେ ଚର୍ଚ୍ଚା କରନ୍ତୁ । ଯାତ୍ରାର ନାମ ଏଥିପାଇଁ ନ୍ୟାୟ ଓ ଶାନ୍ତି ଯାତ୍ରା ରଖାଯାଇଛି । ଏହି ଯାତ୍ରାରେ ସବୁ ସମାଜ ଓ ଭିନ୍ନ ବୟସର ଲୋକେ ଚାଲୁଛନ୍ତି । ଆପଣ ମଧ୍ୟ ଏଥିରେ ସହଯୋଗୀ ହୋଇ ଗାଁ ଗାଁ, ସାହି ବସ୍ତିରେ ଶାନ୍ତି ଓ ନ୍ୟାୟର କଥା କହିପାରିବେ ।
ମହତ୍ମା ଗାନ୍ଧୀ ସ୍ୱାବଲମ୍ବୀ ସମାଜର କଥା କହିଛନ୍ତି । କିନ୍ତୁ ଦୁଃଖର ବିଷୟ ଆମେ ସ୍ୱାବଲମ୍ବୀ ହେବା ପରିବର୍ତ୍ତେ ଧୀରେ ଧୀରେ ପରବାଲମ୍ବୀ ହେଉଛୁ । ଆମେ ଗାଁର ଶକ୍ତି ଏବଂ ସମ୍ବଳ ପରିବର୍ତ୍ତେ ସରକାରୀ ଶକ୍ତି ଓ ସମ୍ବଳ ଉପରେ ବେଶୀ ଭରସା ରଖୁଛୁ । ଗାଁ ଉପରେ ବିଶ୍ୱାସ କଲେ, ଗାଁର ଶକ୍ତି ବଢିବ । ଗାନ୍ଧିଜୀ ଅନ୍ତିମ ବ୍ୟକ୍ତିକୁ ନ୍ୟାୟ ଦେବା କଥା କହୁଥିଲେ । ସରକାର ବି ଅନ୍ତୋଦୟ କଥା କହୁଛନ୍ତି । ଆମ ସମାଜରେ ଆଜି ବି ବହୁ ସଂଖ୍ୟାରେ ଲୋକେ ସଂଶାଧନ ବିନା ଗବିବୀ ସହିତ ସଂଘର୍ଷ କରୁଛନ୍ତି । ସେମାନେ ସବୁ ଭୂମିହୀନ, ବାସହୀନ ତଥା ବେରୋଜଗାର ମଣିଷ । ନ୍ୟାୟପୂର୍ଣ୍ଣ ସମାଜ ରଚନା ପାଇଁ ଏହା ଜରୁରୀଯେ, ଆମେ ସେମାନଙ୍କୁ ଉପରକୁ ଉଠାଇ ଅନ୍ୟମାନଙ୍କ ସମକକ୍ଷ କରିବା । ସେହିପରି ମହିଳାମାନଙ୍କୁ ମଧ୍ୟ ଅନ୍ୟମାନଙ୍କ ସହିତ ସମାନସ୍ତରକୁ ଆଣିବାକୁ ହେବ । ସମ୍ପତ୍ତି ଓ ସଂଶାଧନରେ ସେମାନଙ୍କର ଅଧିକାରକୁ ସୁରକ୍ଷିତ କରିବାକୁ ପଡ଼ିବ । ନ୍ୟାୟ ଓ ଶାନ୍ତି ପାଇଁ ଆମେ ସମସ୍ତେ ଏକ ହୋଇ ଗୋଟିଏ ପାଦ ଆଗକୁ ବଢାଇଲେ ଲକ୍ଷ୍ୟ ଦୂର ନୁହେଁ ବୋଲି ବିଶିଷ୍ଟ ଗାନ୍ଧିବାଦୀ, ଭୂମିହୀନ ଆନ୍ଦୋଳନ ମହାନାୟକ ଶ୍ରୀ ପି.ଭି. ରାଜଗୋପାଳ ଅହ୍ୱାନ ଦେଇଛନ୍ତି । ଶ୍ରୀ ରାଜଗୋପାଳ ତା ୨୩.୦୯.୨୦୨୧ରିଖ ଠାରୁ ୨୬.୦୯.୨୦୨୧ ରିଖ ପର୍ଯ୍ୟନ୍ତ ଚାରିଦିନିଆ ଓଡ଼ିଶାଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ୨୧ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ୧୦୦ ଜିଲ୍ଲା ସମେତ ବିଶ୍ୱର ବହୁ ଦେଶରେ ଏଭଳି ମୁଦାକୁ ନେଇ ପଦଯାତ୍ରା ହେଉଛି । ଓଡ଼ିଶାରେ ୯ଗୋଟି ଜିଲ୍ଲା ସମେତ ୧୩ଗୋଟି ସ୍ଥାନରେ ଏହି ଯାତ୍ରା ହେବ ବୋଲି ସ୍ଥିର କରାଯାଇଛି ।ଏହି ପୂଣ୍ୟ କାମରେ ସରକାରୀ, ପତ୍ରକାର, ବୁଦ୍ଧିଜୀବୀ, ମଧ୍ୟମବର୍ଗୀୟ ଯୁବକ ତଥା ସମାଜର ସବୁବର୍ଗର ମଣିଷମାନେ ସାମିଲ୍ ହୁଅନ୍ତୁ । ଜନସାଧାରଣଙ୍କୁ ନିବେଦନ ଯେ, ଏଭଳି ପଦଯାତ୍ରାକୁ ସମସ୍ତ ପ୍ରକାର ସହଯୋଗର ହାତ ବଢାନ୍ତୁ, ସବୁ ପଦଯାତ୍ରା ୨୧ ସେପ୍ଟେମ୍ବରରେ ଆରମ୍ଭ ହୋଇ ୨ ଅକ୍ଟୋବରରେ ସରିବ ବୋଲି ଏକତା ପରିଷଦ ଓଡ଼ିଶାର ଆବାହକ ଶ୍ରୀ ବିଜୟ କୁମାର ପ୍ରଧାନ ଜଣାଇଛନ୍ତି ।