ଆଜିଠାରୁ ଧନୁଯାତ୍ରା
ବରଗଡ଼: ମଙ୍ଗଳବାର ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି । ଉଭୟେ ମଥୁରା ଏବଂ ଗୋପପୁର ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି । ମଥୁରା ନଗରୀରେ କଂସ ମହାରାଜଙ୍କ ପ୍ରକୋପର ଝଲକ କାନ୍ଥବାଡ଼ରେ ଦେଖିବାକୁ ମିଳୁଛି । ରଙ୍ଗମହଲ ସମେତ ଅନ୍ୟ ସ୍ଥାନରେ ସାଜସଜ୍ଜା ପ୍ରାୟତଃ ଶେଷ ହୋଇଛି । ଶୋଭାଯାତ୍ରାରେ ସାମିଲ ହେବା ପାଇଁ ସାଂସ୍କୃତି ଦଳ ଗୁଡ଼ିକ ଏବେ ସହରମୁହାଁ । ଏଥର ଭବ୍ୟ ଶୋଭାଯାତ୍ରାର ଆୟୋଜନ ପାଇଁ ଉଦ୍ୟମ ଚାଲିଛି । ମୀନାବଜାର, କ୍ରାଫ୍ଟ ମେଳା ପାଇଁ ମଧ୍ୟ ପ୍ରସ୍ତୁତି ସରିଗଲାଣି । ଗୋପପୁରରେ ମଧ୍ୟ ଉତ୍ସାହର ସହ ଆୟୋଜକମାନେ ପ୍ରସ୍ତୁତି ଚଳାଇଛନ୍ତି । ସଂଧ୍ୟାରେ ଯାତ୍ରୀ ସ୍ଥଳ ପରିଦର୍ଶନ କରି ଆୟୋଜକମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଧନୁଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଯାଇଛି ।