ଆଜିଠାରୁ ‘ନାୟିକା’ର ୫ମ ରାଜ୍ୟସ୍ତରୀୟ ନାଟକୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବାଲେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାୟିକା’ ପକ୍ଷରୁ ଆସନ୍ତା ଶନିବାରଠାରୁ ହେବାକୁ ଯାଉଥିବା ୫ମ ରାଜ୍ୟସ୍ତରୀୟ ନାଟକୋତ୍ସବର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ନାୟିକା’ର ନିର୍ଦ୍ଦେଶିକା ସୁସ୍ମିତା ରଣା ଯୋଗଦେଇ ଗାନ୍ଧୀସ୍ମୃତି ଭବନରେ ହେବାକୁ ଯାଉଥିବା ୪ ଦିନିଆ ନାଟକୋତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟସ୍ତରୀୟ ନାଟକୋତ୍ସବ ସହ ଅନୁଷ୍ଠାନର ୧୭ତମ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି କହିଥିଲେ । ନାଟକୋତ୍ସବର ପ୍ରଥମ ସଂଧ୍ୟାରେ ‘ନାୟିକା’ ପ୍ରଯୋଜନାରେ ସୁବୋଧ ପଟ୍ଟନାୟକଙ୍କ ରଚିତ ତଥା ମହାତ୍ମାଗାନ୍ଧୀଙ୍କ ଆତ୍ମଜୀବନ ପୁସ୍ତକ ଆଧାରିତ ନାଟକ ‘ତ୍ୟାଗୀ’ ଏବଂ ଶେଷ ସଂଧ୍ୟାରେ ବିଜୟ ମିଶ୍ରଙ୍କ ରଚିତ ନାଟକ “ତା’ରି ଲାଗି” ମଞ୍ଚସ୍ଥ ହେବ । ଦୁଇ ନାଟକକୁ ସେ ନିଜେ ନିର୍ଦ୍ଦେଶନା ଦେଇଥିବା ଶ୍ରୀମତୀ ରଣା ପ୍ରକାଶ କରିଥିଲେ । ଅନ୍ୟ ଦୁଇ ଦିନରେ ଝାରସୁଗୁଡ଼ାର ସୃଜନୀ ପରିବାରର ‘ଏନ୍ତା ଏନ୍ତା କଥା’ ଏବଂ ଭୂବନେଶ୍ୱରର ଅସୀମବସୁ ଫାଉଣ୍ଡେସନ ‘ଶବ ବାହକମାନେ’ ପରିବେଶିତ ହେବ ବୋଲି ଶ୍ରୀମତୀ ରଣା ସୂଚନା ଦେଇଥିଲେ । ନାଟକୋତ୍ସବ ଅବସରରେ ୨୬ ତାରିଖ ସକାଳେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ସେ କହିଥିଲେ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ରାଜ୍ୟସ୍ତରୀୟ ନାଟକୋତ୍ସବକୁ ବାଲେଶ୍ୱରର ନାଟକପ୍ରେମୀ ଦର୍ଶକ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ସେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁଶୀଲ ପଟ୍ଟନାୟକ, ଅରବିନ୍ଦ ସାହୁ, ସୁଶାନ୍ତ ଜେନା, ବିଜୟ ଅଧିକାରୀ, ଅମୃତାଂଶୁ ମହାପାତ୍ର, ପ୍ରଦୀପ ବେହେରା ପ୍ରମୁଖଙ୍କ ସମେତ ‘ନାୟିକା’ର ବହୁ ସଦସ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ