ଆଜିଠୁ ଆରମ୍ଭ ହେଲା ମା ରାମାୟାଣାମ୍ମା ଙ୍କ ଯାତ୍ରା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜିଠୁ ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ଦୀର୍ଘ ୧ ମାସ ଧରି ଚାଲିବାକୁ ଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରରେ ମା ରାମାୟାଣାମ୍ମା ବାଦ୍ୟ ବାଜଣା ରେ ନିଜ ବାପ ଘରକୁ ଆସିଥିଲେ । ପ୍ରାରମ୍ଭରେ ସହର ମଧ୍ୟରେ ଥିବା ମା ଠାକୁରାଣୀଙ୍କ ମନ୍ଦିର ରେ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଙ୍କ ମସ୍ତକରୁ ଫୁଲ ପଡିବା ସହ ଆଜ୍ଞାମାଳ ଆସିବା ମାତ୍ରକେ ଯାତ୍ରା କମିଟିର ସମସ୍ତ ସଦସ୍ୟ ଓ ଜନ ସାଧାରଣ ବିଭିନ୍ନ ବାଦ୍ୟ ବାଜଣା, ଶଙ୍ଖ ମହୁରୀ ଓ ବିରାଟ ପଟୁଆରରେ ମା ରାମାୟାଣାମ୍ମା ଙ୍କୁ ସହର ପରିକ୍ରମା କରାଇ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମାଙ୍କ ଅସ୍ଥାୟୀ ମଣ୍ଡପ ତଥା ନିଜ ବାପ ଘର କୁ ଅଣାଯାଇଥିଲା । ସେଠାରେ ପୂଜକ ମାନେ ଯାତ୍ରା କମିଟି ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡିଙ୍କ ଉପସ୍ଥିତିରେ ରିତୀନିତୀ ଅନୁସାରେ ମାଙ୍କୁ ଆଳତି କରିବା ସହିତ ମାଙ୍କୁ ପୂଜାର୍ଚ୍ଚନା କରିଥିଲେ । ପ୍ରତି ଥର ଏହି ଯାତ୍ରା ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ର ଯାତ୍ରା ଆଜି ଆରମ୍ଭ ହୋଇଥିବା ବେଳେ ଛତ୍ରପୁର ସହର ଏବେ ଚଳ ଚଂଚଳ ହୋଇ ପଡିଛି । ସହର ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ସହର ବାସିଙ୍କ ମନରେ ଖୁସିର ବାତାବରଣ ଖେଳି ଯାଇଛି । ମାଙ୍କୁ ଦର୍ଶନ କରିବା ଲାଗି ବହୁ ଭକ୍ତ ଏକତ୍ରିତ ହୋଇ ମାଙ୍କ ଏହି ଘଟ ଦର୍ଶନ କରିଥିଲେ । ଆସନ୍ତା ୮ ତାରିଖରୁ ମାଙ୍କ ଘଟ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ମା ରାମାୟାଣାମ୍ମା ସହରର ଗଳି କନ୍ଦି ବୁଲି ଘରକୁ ଘର ଯାଇ ଭକ୍ତ ମାନଙ୍କ ଠାରୁ ଭୋଗ ଗ୍ରହଣ କରିବେ । ପ୍ରତିଦିନ ମା ଙ୍କ ଘଟ ପରିକ୍ରମା ସରିବା ପରେ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଦହିଭାତ ଭୋଗ କରାଯିବ । ଅନ୍ୟପଟେ ଆସନ୍ତା ୧୫ ତାରିଖ ଠାରୁ ପିଲାଙ୍କ ମନୋରଞ୍ଜନ ପାଇଁ ସହରରେ ରାମଦୋଳି ସମେତ ମୀନା ବଜାର ମଧ୍ୟ ଯାତ୍ରା କମିଟି ପକ୍ଷରୁ ଖୋଲାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।


