ଆଜିଠୁ ଜଗା ଦର୍ଶନ କରିପାରିବେ ପୁରୀବାସୀ

ପୁରୀ, (ୱାଇଏନ୍‌ଏସ୍‌): ଆଜିଠୁ ୪ ଜଗା ଦର୍ଶନକରିପାରିବେ ପୁରୀବାସୀ । ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଭିତରେ ତିନୋଟି ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ଚାଲିବ । ପାଖାପାଖି ୪୫ ହଜାର ପରିବାରଙ୍କ ଦର୍ଶନ ପାଇଁ ପୌରସଂସ୍ଥା ଘର ଘର ବୁଲି ସ୍ୱଚ୍ଛସାଥୀଙ୍କ ଜରିଆରେ ଟୋକନ ବାଣ୍ଟିଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିବେ ସହରବାସୀ । ଦେଉଳ ଭିତରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରତିହାରୀ ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଛି ।
ସହରବାସୀଙ୍କ ବାସିନ୍ଦା ପ୍ରମାଣପତ୍ରକୁ ସିଂହଦ୍ୱାର ସାମ୍ନାରେ ଖୋଲିଥିବା ଅସ୍ଥାୟୀ କିଓସ୍କରେ ଯାଞ୍ଚ ବ୍ୟବସ୍ଥା ହୋଇଛି । ସେହିଭଳି ହାତ ଧୋଇ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବେଳେ ସମାଜିକ ଦୂରତା ରକ୍ଷାକୁ ଦେଉଳ ଭିତରେ ନିୟୋଜିତ ସୁରକ୍ଷା କର୍ମଚାରୀ ତଦାରଖ କରିବେ । ଆବଶ୍ୟକ ହେଲେ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବାକୁ ଯୋଜନା ରହିଛି । ସହରବାସୀଙ୍କ ଦର୍ଶନ ୨୦ ତାରିଖରେ ଶେଷ ହେବ । ଅଗଷ୍ଟ ୨୧, ୨୨ ଦୁଇ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ବିଶୋଧନ କରାଯିବ । ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ଦୁଇ ଡୋଜ ଟିକାକରଣ କିମ୍ବା ୯୬ ଘଣ୍ଟା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ପ୍ରମାଣପତ୍ର ଦେଖାଇବାକୁ ପଡିବ । ସମସ୍ତ ଦର୍ଶନାର୍ଥୀ ଆଧାର କାର୍ଡ ବା ଭୋଟ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ