ଆଜିଠୁ ନବରାତ୍ରି ପୂଜା ଆରମ୍ଭ ଚଳଚଞ୍ଚଳ ଶକ୍ତିପୀଠ ସମେତ ମା ମଙ୍ଗଳାଙ୍କ ପୀଠ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଶକ୍ତିପୀଠରେ ଠାରୁ ଆରମ୍ଭ ହେବାକୁ ଯାଉଛି ମା’ ଙ୍କର ଶାରଦୀୟ ନବରାତ୍ର ପୂଜା । ଶକ୍ତିପୀଠ ତଥା ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇ ସାରି ଥିବା‌ବେଳେ ସୋମବାର ଠାରୁ ନବରାତ୍ର ପୂଜା ଆରମ୍ଭ ହେବ। ପ୍ରଥମମ୍‌ ଶୈଳପୁତ୍ରୀଞ୍ଚମ, ଦ୍ବିତୀୟମମ୍‌ ବ୍ରହ୍ମଚାରିଣୀ, ତୃତୀୟମମ୍‌ ଚନ୍ଦ୍ରଘଣ୍ଟେତୈ, କୁସ୍ମାଣ୍ତେ ଚତୁର୍ଥଗମ୍‌, ପଞ୍ଚମମମ୍‌ ସ୍କନ୍ଦମା‌ତେତି, ଷଷ୍ଟମମ୍‌ କତ୍‌ୟାନିତିଚମ୍‌, ସପ୍ତମମ୍‌ କାଳରାତ୍ରିତୀ, ମହାଗୌରୀ ଅଷ୍ଟମମ୍‌, ନବମମ୍‌ ସିଦ୍ଧିରାତ୍ରୀ ଭାବେ ମା’ଙ୍କର ଆଗମନ ହେବ । ନିଶାର୍ଦ୍ଧରେ ମା’ଙ୍କୁ ବିଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବିଧି ମଧ୍ୟ ରହିଛି। ମା’ ଶକ୍ତିଙ୍କ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାତ୍ରିରେ ମା’ ଶୈଳପୁତ୍ରୀ ଭାବେ ପୂଜା ପାଇବେ। ଏହି ବ୍ରତ ଧାରଣ କଲେ ପରିବାରର ସୁଖ ଶାନ୍ତି ଓ ସୈାହାର୍ଦ୍ଦ୍ୟ ବୃଦ୍ଧି ପାଇଥାଏ ।
ଏହାକୁ ଶୈଳ ମହାରାଜଙ୍କ କନ୍ୟା ବା ଶୈଳପୁତ୍ରୀ ଭାବେ ପୂଜା କରାଗଲା। ଏହି ବ୍ରତରେ ମା’ ଙ୍କୁ ବନଦୁର୍ଗାଙ୍କ ମନ୍ତ୍ରରେ ପୂଜା କରାଯିବାର ବିଧି ରହିଛି । ସୋମବାର ନବରାତ୍ରର ପ୍ରତିପଦ (ନବ ପତ୍ରିକା)ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ମା’ଙ୍କ ପାଦ ପଦ୍ମଲାଗି, ନାଲିକଲି ବେଶ ଓ କଳା କଲିବେଶ ବେଶ ଅନୁଷ୍ଠିତ ହୋଇଥାଏ ।
ପଞ୍ଚମୀ ଦିନ ମା’ଙ୍କୁ ତୀର କମାଣ ବେଶ, ଷଷ୍ଠୀ ଦିନ କାତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଏବଂ ନବମୀ ଦିନ ମହାସରସ୍ବତୀ ବେଶରେ ସଜ୍ଜିତ କରାଯାଇ ପୂଜା କରାଯାଇଥାଏ। ମହାଷ୍ଟମୀ ଦିନ ମା’ଙ୍କ ଚଳନ୍ତି ପ୍ରତିମା ରତ୍ନଗିରିରୁ ଫେରି ଜଗତି ପୂଜା ପରେ ଦୂର୍ଗାଙ୍କ ସହିତ ମନ୍ଦିର ଭିତରକୁ ଯାଆନ୍ତି । ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ଦିରରେ ଚଣ୍ତିପାଠ କରାଯାଏ। ମହାନବମୀ ଦିନ ମନ୍ଦିରରେ ସ୍ବତନ୍ତ୍ର ନବମୀ ପୂଜା ହୋଇଥାଏ। ରାତ୍ରି ଧୂପ ପରେ ନବମୀ ହୋମ ହୁଏ। ରାତ୍ରି ଧୂପ ପରେ ମା’ ମଙ୍ଗଳାଙ୍କ ସେବାୟତଙ୍କ ପକ୍ଷରୁ ମା’ଙ୍କ ନିକଟରେ ପ୍ରସିଦ୍ଧ ଦହି ପଖାଳ ଭୋଗ ହୁଏ। ମହାଦଶମୀ ବା ଦଶହରା ଦିନ ମନ୍ଦିରରେ ଦୁର୍ଗା ଓ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ଏକ ଖଟୁଳିରେ ଉତ୍ତରମୁଖା ହୋଇ ଜଗମୋହନରେ ବସନ୍ତି । ସନ୍ଧ୍ୟା ଆଳତି ପରେ ଉଭୟ ପ୍ରତିମା ଏକ ସୁସଜ୍ଜିତ ବିମାନରେ ସୋମେଶ୍ବର ଶମ୍ଭୁଙ୍କ ନିକଟକୁ ଯାତ୍ରା କରନ୍ତି। ସେଠାରେ ୩ ଥର ମନ୍ଦିର ପରିକ୍ରମା ପରେ ଶିବ ଓ ଦୁର୍ଗାଙ୍କ ଭେଟ ହୁଏ। ଯାହା ହରଦୁର୍ଗା ଭେଟ ନାମରେ ପରିଚିତ। ଏହାପରେ ପ୍ରତିମା ସ୍ବମନ୍ଦିରକୁ ଫେରିବାପରେ ମା’ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିଥାଏ।
ମା’ ଙ୍କୁ ଏହି ଭାବେ ପୂଜା କଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ମା’ ଙ୍କୁ ଯୋଗ, ତପସ୍ୟା ଓ ଧ୍ୟାନ ତୁଷ୍ଟି କଲେ ବ୍ରହ୍ମତ୍ୱ ପ୍ରାପ୍ତି ହୋଇପାରିବ ବୋଲି ବିଶ୍ୱାସ ରହିଛି। ଏହିପରି ୯ ଦିନ ଧରି ଶକ୍ତିପୀଠ ମାନଙ୍କରେ ମା’ ଙ୍କୁ ବିଭିନ୍ନ ବେଶରେ ପୂଜା କରାଯିବାର ବିଧି ରହିଛି ।ନବରାତ୍ରି ସମୟରେ ଶ୍ରଦ୍ଧାଳୁ ଙ୍କ ଭିଡ଼କୁ ଦୃଷ୍ଟିରଖି ମନ୍ଦିର ପ୍ରଶାସନ ତରଫରୁ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ